ବଢ଼ିଚାଲିଛି ନୋରୋଭାଇରସ୍ ସଂକ୍ରମଣ : ଜାଣନ୍ତୁ ଏହାର ଲକ୍ଷଣ କଣ ଏବଂ ଏବେ ଭାରତରେ କେମିତି ରହିଛି ସ୍ଥିତି ?
1 min readନନ୍ଦିଘୋଷ ବ୍ୟୁରୋ: ନୋରୋଭାଇରସ ଏକ ସଂକ୍ରାମକ ବିମାରୀ ହୋଇଥିବା ବେଳେ ଆମେରିକାରେ ଏହି ଭାଇରସ୍ ଦ୍ରୁତ ଭାବେ ବଢ଼ିଚାଲିଛି । ଡିସେମ୍ବର ମାସରେ ନୋରୋଭାଇରସର ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସିଥିଲା । ତେଣୁ ଏପରି ସ୍ଥିତିରେ ନୋରୋଭାଇରସର ଲକ୍ଷଣ ଓ ଉପଚାର ବିଷୟରେ ଜାଣିବାର ଆବଶ୍ୟକତା ରହିଛି । କିଛି ମାମଲାରେ ଏହା ଜଣଙ୍କ ଠାରୁ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ । ଡିସେମ୍ବର ଠାରୁ ବର୍ତ୍ତମାନ ସୁଦ୍ଧା ନୋରୋଭାଇରସର ୯୦ରୁ ଅଧିକ ମାମଲା ଚିହ୍ନଟ ହୋଇସାରିଛି । ଆମେରିକାର ଅନେକ ସ୍ଥାନରେ ନୋରୋଭାଇରସର ମାମଲା କ୍ରମାଗତ ଭାବେ ବଢ଼ୁଥିବା ନେଇ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ (ସିଡିସି) ପକ୍ଷରୁ ସୂଚନା ଜାରି କରାଯାଇଛି ।
ନୋରୋଭାଇରସ ପେଟ ଓ ଅନ୍ତକୁ ପ୍ରଭାବିତ କରିପାରେ । ସେଥିପାଇଁ ଏହି ଭାଇରସକୁ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସର ବୀମାରୀ କୁହାଯାଇଥାଏ । ଏହି ଭାଇରସରେ ସଂକ୍ରମିତ ହେଲେ ବାନ୍ତି, ପେଟ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଏଥିସହିତ କିଛି ମାମଲାରେ ମୁଣ୍ଡ ବ୍ୟଥା ଓ କ୍ରମାଗତ ଥକ୍କାପଣ ସମସ୍ୟା ରହୁଥଆବା ଦେଖାଯାଉଛି । ଦୂଷିତ ଭୋଜନ ଓ ପାଣି ସେବନ କରିବା ସହିତ ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ଆସିବା ଫଳରେ ଏହି ବୀମାରୀ ବ୍ୟାପିଥାଏ । ନୋରୋଭାଇରସର କୌଣସି ନିର୍ଦ୍ଧାରିତ ଚିକିତ୍ସା ନାହିଁ । ଲକ୍ଷଣ ଆଧାରରେ ରୋଗୀର ଚିକିତ୍ସା କରାଯାଇଥାଏ ।
ମହାମାରୀ ବିଶେଷଜ୍ଞ ଡ. ଜୁଗଲ କିଶୋରଙ୍କ ଅନୁଯାୟୀ, ନୋରୋଭାଇରସ ଏକ ନୂଆ ବୀମାରୀ ନୁହେଁ । ଏହା ଦଶନ୍ଧି ତଳର ପୁରୁଣା ରୋଗ ।
୧୯୬୮ରେ ଓହିୟୋର ନାରଓ୍ବାକରେ ଏକ ସ୍କୁଲରେ ଏହି ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ସେହି ସମୟରେ ଯେଉଁ ଷ୍ଟ୍ରେନ ମିଳିଥିଲା, ତାହାକୁ ନାରଓ୍ବାକ ଭାଇରସ ନାମରେ ଜଣାଯାଇଥିଲା, ତେବେ ପରେ ଏହାର ନାମ ନୋରୋଭାଇରସ ହୋଇଥିଲା । ୧-୨ ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଦେଇଥାଏ ଓ ସପ୍ତାହେ ପର୍ଯ୍ୟନ୍ତ ତାହା ରହିପାରେ । ନୋରୋଭାଇରସ ଘାତକ ନୁହେଁ ଓ ଠିକ୍ ସମୟରେ ଲକ୍ଷଣକୁ ଚିହ୍ନଟ କରିପାରିଲେ ଏହାଠାରୁ ସହଜରେ ମୁକ୍ତି ପାଇହେବ । ବୟସ୍କ, ଛୋଟପିଲା ଓ ଗର୍ଭବତୀ ମହିଳାମାନେ ଏହି ଭାଇରସ ପ୍ରତି ସତର୍କ ରହିବା ଜରୁରୀ । ବର୍ତ୍ତମାନ ଏହି ଭାଇରସର ମାମଲା ଆମେରିକାରେ ବଢ଼ୁଥିବା ବେଳେ ଭାରତରେ ଏହାକୁ ନେଇ କୌଣସି ଗମ୍ଭୀର ବିପଦ ନାହିଁ । ନିୟମିତ ଭାବେ ହାତ ଧୋଇବା, ଦୂଷିତ ଭୋଜନ ଓ ପାଣି ଠାରୁ ଦୂରେଇ ରହିବା, ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ନ ଆସିବା, ପେଟରେ କୌଣସି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ସମ୍ପର୍କ କରିବା ଦ୍ବାରା ନୋରୋଭାଇରସ ଠାରୁ ସୁରକ୍ଷିତ ରହିପାରିବେ ।