ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ କି ‘କବଚ’? ଜାଣନ୍ତୁ କ’ଣ ଏହି ସିଷ୍ଟମ…

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ। ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ସଦସ୍ୟ । ନିମିଷକେ ଉଜୁଡିଗଲା ହସ ଖୁସିର ସଂସାର। କେହି କିଛି ବୁଝିବା ଆଗରୁ ଦୁନିଆ ପଲଟିଯାଇଥିଲା । କରମଣ୍ଡଳ ଦୁର୍ଘଟଣା ପୁରା ବିଶ୍ବକୁ ଦୋହଲାଇ ଦେଇଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେମିତି ଓ କେଉଁ ପରିସ୍ଥିତିରେ ହେଲା ଦୁର୍ଘଟଣା । ତେବେ ଏହା ମଧ୍ୟରେ ଚର୍ଚ୍ଚା ହେଉଛି ଯଦି କବଚ ସିଷ୍ଟମ ଥାନ୍ତା ତେବେ ଦୁର୍ଘଟଣା ହୋଇନଥାନ୍ତା । ଆସନ୍ତୁ ଜାଣିବା କଣ ଏହି କବଚ ସିଷ୍ଟମ ?

ବାସ୍ତବରେ କିଛି ମାସ ପୂର୍ବରୁ ଦେଶର ରେଳ ମନ୍ତ୍ରଣାଳୟ କହିଥିଲା କି ଏମିତି ଏକ ସିଷ୍ଟମ ଆଣିବାକୁ ଯାଉଛି ଯାହା ରେଳ ଦୁର୍ଘଟଣା ରୋକି ପାରିବ । ଏହାକୁ କବଚ ସିଷ୍ଟମ କୁହାଯାଏ । କବଚ ହେଉଛି ଭାରତୀୟ ରେଳର ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା । ଯାହା ମାଧ୍ୟମରେ ରେଳବାଇ ଟ୍ରେନ ଦୁର୍ଘଟଣାକୁ ରୋକିବାକୁ ଯୋଜନା କରୁଛି । କବଚ ହେଉଛି ଏକ ସିଷ୍ଟମ । ଯାହା ପ୍ରତ୍ୟେକ ଷ୍ଟେସନରେ ଏକ କିଲୋମିଟର ଦୂରତାରେ ଇନଷ୍ଟଲ କରାଯାଏ । ଏହା ସହିତ ଟ୍ରେନ୍, ଟ୍ରାକ୍ ଓ ରେଳ ସିଗନାଲ ସିଷ୍ଟମରେ ମଧ୍ୟ ଇନଷ୍ଟଲ କରାଯାଇଥାଏ ।

ଅଲଟ୍ରା ହାଇ ରେଡିଓ ଫ୍ରିକ୍ବେନ୍ସି ମାଧ୍ୟମରେ ଏହାର ସମ୍ପୂର୍ଣ୍ଣ ସିଷ୍ଟମ ପରସ୍ପର ସହିତ ଅଲଟ୍ରା ହାଇ ରେଡିଓ ଫ୍ରିକ୍ବେନ୍ସି ଜରିଆରେ ଯୋଗାଯୋଗ କରିଥାଏ । ଅର୍ଥାତ ଯେତବେଳେ କୌଣସି କାରଣରୁ ଟ୍ରେନଟି ସଙ୍କେତକୁ ଅତିକ୍ରମ କରିଥାଏ, ସେତେବେଳେ ଏହି କବଚ ସକ୍ରିୟ ହୋଇଯାଏ । ଥରେ ଆକ୍ଟିଭ ହୋଇଗଲେ କବଚ ସିଷ୍ଟମ ଲୋକ ପାଇଲଟକୁ ସତର୍କ କରାଏ ଏବଂ ତାପରେ ଟ୍ରେନର ବ୍ରେକ ନିୟନ୍ତ୍ରଣ କରିବା ଆରମ୍ଭ କରେ । ଏହା ସହିତ ଯଦି କବଚ ସିଷ୍ଟମ ଜାଣେ ଯେ ଅନ୍ୟ ଏକ ଟ୍ରେନ ମଧ୍ୟ ସମାନ ଟ୍ରାକରେ ଆସୁଛି ତେବେ ଏହା ଅନ୍ୟ ଟ୍ରେନ ପାଇଁ ଏକ ଆଲର୍ଟ ପଠାଏ ଏବଂ ଅନ୍ୟ ଟ୍ରେନ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଆସି ନିଜକୁ ଅଟକାଇଥାଏ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭ଟି ଟ୍ରେନରେ ଲାଗିଛି କବଚ ସିଷ୍ଟମ ।