ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ରହିଛି କ’ଣ ?

ପୁରୀ: ଆଜି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସୂଚନା ଅନୁସାରେ ଅପରାହ୍ନ ଗୋଟାଏରେ ରତ୍ନଭଣ୍ଡାର ଖୋଲାଯିବ । ଶ୍ରୀମନ୍ଦିର ପ୍ରଶାସନକୁ ଏସଓପି ପ୍ରଦାନ କରାଯାଇଛି । ତେବେ ମନରେ ପ୍ରଶ୍ନ ଆସେ, କ’ଣ ଏହି ରତ୍ନଭଣ୍ଡାର ? ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ରହିଛି କ’ଣ ?

କୁହାଯାଏ ଜଗତରନାଥ ଜଗନ୍ନାଥ ଅଳଙ୍କାର ପ୍ରିୟ । ମହାପ୍ରଭୁଙ୍କ ବେଶ ପାଇଁ ଲୋଡ଼ା ହୁଏ ହୀରା, ରତ୍ନ, ମୋତି, ମାଣିକ୍ୟ, ରାଜାବର୍ତ୍ତ ଆଦି ଖଚିତ ସ୍ବର୍ଣ୍ଣ ଅଳଙ୍କାର । ଯାହାକି ସାଇତା ହୋଇ ରହିଛି ରତ୍ନଭଣ୍ଡାରରେ । କେବଳ ସ୍ବର୍ଣ୍ଣାଳଙ୍କାର ନୁହେଁ, ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି ମୂଲ୍ୟବାନ୍ ହୀରା, ନୀଳା, ମୋତି, ମାଣିକ୍ୟ, ପୋଖରାଜ ଓ ପ୍ରବାଳ ଭଳି ଦୁର୍ଲଭ ରତ୍ନ ।

୧୮୦୩ରେ ଓଡ଼ିଶା ବ୍ରିଟିଶ୍ ଶାସନାଧୀନ ହେବା ପରେ ୧୮୦୫ରେ ପୁରୀର ତତ୍କାଳୀନ ଜିଲ୍ଲାପାଳ ଚାର୍ଲସ୍ ଗ୍ରୋମ୍ ରତ୍ନଭଣ୍ଡାରରେ ଥିବା ସମ୍ପଦ, ରତ୍ନ ଓ ଅଳଙ୍କାରର ସବିସ୍ତୃତ ତାଲିକା କରାଇଥିଲେ । ୧୯୦୫ ମସିହା ତାଲିକା ଅନୁସାରେ ମହାପ୍ରଭୁଙ୍କର ୭୪ ପ୍ରକାର ଅଳଙ୍କାର ସହିତ ୧ ହଜାର ୩୩୩ଟି ଦ୍ରବ୍ୟ ଥିଲା । ଏଥିସହ ୧୨୮ଟି ସ୍ବର୍ଣ୍ଣମୁଦ୍ରା, ୧୨୯୭ଟି ରୌପ୍ୟମୁଦ୍ରା, ୧୦୬ଟି ତାମ୍ରମୁଦ୍ରା, ୨୪ଟି ପ୍ରାଚୀନ ସ୍ବର୍ଣ୍ଣ ମୁଦ୍ରା ଥିବା ଦର୍ଶାଯାଇଥିଲା । ‘ରେକର୍ଡ ଅଫ୍ ରାଇଟସ୍’ରେ ଥିବା ରତ୍ନଭଣ୍ଡାର ବିବରଣୀ ଅନୁସାରେ, ବାହାର ଓ ଭିତର ନାଁରେ ରତ୍ନଭଣ୍ଡାର ଦୁଇ ଭାଗରେ ବିଭକ୍ତ । ବାହାର ଭଣ୍ଡାରରେ ୧୫୦ ପ୍ରକାରର ଅଳଙ୍କାର ରହିଛି । ଭିତର ଭଣ୍ଡାରରେ ଥିବା ୧୮୦ ପ୍ରକାରର ଆଭୂଷଣ ମଧ୍ୟରେ ରହିଛି ଖାଣ୍ଟି ସୁନାରେ ଗଢ଼ାଯାଇଥିବା ୭୪ ରକମର ଅଳଙ୍କାର । ଏହାଛଡ଼ା ୧୪୬ ପ୍ରକାରର ରୁପା ବାସନ ଓ ଅଳଙ୍କାର ମଧ୍ୟ ରହିଛି । ସେଥିରୁ କେତେକ ସାମଗ୍ରୀର ଓଜନ ୫୦୦ ତୋଳାରୁ ଅଧିକ ହେବ । ୧୯୫୪ରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସ୍ପେସାଲ୍ ଅଫିସର୍ ଦେଇଥିବା ରିପୋର୍ଟ ଅନୁସାରେ ରତ୍ନ ଭଣ୍ଡାରରେ ପ୍ରାୟ ୫୨ କୋଟି ଟଙ୍କାର ମୂଲ୍ୟବାନ୍ ସମ୍ପତ୍ତି ରହିଛି ।

୧୯୭୮ ମେ’ ୧୩ରୁ ଜୁଲାଇ ୨୩ ମଧ୍ୟରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା । ୭୧ ଦିନ ଯାଏଁ ରତ୍ନଭଣ୍ଡାର ଗଣତି ହୋଇଥିଲା । ସେହି ତଥ୍ଯ ଅନୁସାରେ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ୩୬୭ ପ୍ରକାରର ସୁନା ଅଳଙ୍କାର, ଯାହାର ଓଜନ ୪୩୬୪ ଭରି । ସେହିପରି ୨୩୧ ପ୍ରକାରର ରୁପା ଅଳଙ୍କାର ରହିଛି, ଯାହାର ଓଜନ ୧୪ ହଜାର ୮୭୮ ଭରି ୬ ଅଣା । ବାହାର ରତ୍ନଭଣ୍ଡାରରେ ଗଚ୍ଛିତ  ୭୯ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରର ଓଜନ ୮୧୭୫ ଭରି ଓ ୩୩ ପ୍ରକାରର ରୁପା ସାମଗ୍ରୀର ଓଜନ ୪୬୭୧ ଭରି । ଏହାଛଡ଼ା, ଦିଅଁମାନଙ୍କ ଦୈନନ୍ଦିନ ବ୍ୟବହାର ନିମନ୍ତେ ଚଳନ୍ତି ଭଣ୍ଡାରରେ ୨୯୯ ଭରି ୧ ଅଣା ଓଜନର  ୮ ପ୍ରକାରର ସୁନା ଗହଣା ଓ  ୨୬୦୩ ଭରି ୮ ଅଣା ଓଜନର ୨୩ ପ୍ରକାରର ରୁପା ସାମଗ୍ରୀ ରହିଛି । ଏହାପରେ ୧୯୮୫ ଜୁଲାଇ ୧୪ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲେ ହେଁ ସଫଳ ହୋଇପାରି ନଥିଲା ।