ମୃତ୍ୟୁ ପରେ କେମିତି ହୁଏ ପାପ ପୂଣ୍ୟର ହିସାବ ?
1 min readଭୁବନେଶ୍ୱର: ମୃତ୍ୟୁ ପରେ ଶରୀର ଆତ୍ମା କୁଆଡ଼େ ଯାଏ ? କ’ଣ କରେ? ଆତ୍ମାର ଗତି ସ୍ୱର୍ଗକୁ କି ନର୍କକୁ ହୁଏ ? ଏ ସମସ୍ତ ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ଏହି ସବୁ ରହସ୍ୟରୁ ପରଦା ଉଠାଇଛି ଗରୁଡ଼ ପୁରାଣ । ଗରୁଡ଼ ପୁରାଣରେ କୁହାଯାଇଛି ଯେତେବେଳେ ପ୍ରାଣୀର ମୃତ୍ୟୁ ହୁଏ ସେହି ସମୟରେ ଯମ ଲୋକରୁ ଦୁଇ ଜଣ ଯମ ଦୂତ ଆସିଥାନ୍ତି । ମୃତ୍ୟୁଶଯ୍ୟାରେ ଥିବା ବ୍ୟକ୍ତିର ଶରୀରରୁ ଆତ୍ମାକୁ ବାହାର କରନ୍ତି ଏବଂ ଗଳାରେ ଫାସ ବାନ୍ଧି ଆତ୍ମାକୁ ନିଜ ସାଥିରେ ଯମଲୋକକୁ ନେଇଯାନ୍ତି । ସନାତନ ଧର୍ମରେ ଶରୀରର ମୃତ୍ୟୁ ହେବାପରେ କର୍ମାନୁସାରେ ଆତ୍ମାର ଗତି ହୋଇଥାଏ । ଯେଉଁ ବ୍ୟକ୍ତି ସୁକର୍ମ କରିଥାଏ ସେ ସ୍ୱର୍ଗକୁ ଯାଏ ଏବଂ ଯେ କୁକର୍ମ କରିଥାଏ ସେ ନର୍କକୁ ଯାଇଥାଏ । ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମାକୁ ସର୍ବ ପ୍ରଥମେ ଯମଲୋକକୁ ନିଆଯାଏ । ଯମଲୋକରେ ଯମରାଜ ପାପ ପୁଣ୍ୟ ଆଧାରରେ ଆତ୍ମାର ଗତି ନିର୍ଣ୍ଣୟ କରିଥାନ୍ତି ।
ଗରୁଡ଼ ପୁରାଣରେ ପୁଣ୍ୟତ୍ମାର ମୃତ୍ୟୁ ଯେତେବେଳେ ନିକଟତର ହୁଏ, ବ୍ୟକ୍ତି କିଛି କହିପାରେ ନାହିଁ । ମୃତ୍ୟୁ ସମୟରେ ତାକୁ ଦିବ୍ୟ ଦୃଷ୍ଟି ଆସେ ଏବଂ ତାକୁ ସାରା ସଂସାର ବ୍ରହ୍ମମୟ ଦେଖାଯାଏ । ବ୍ୟକ୍ତି ଜଡ଼ ଅବସ୍ଥାକୁ ଆସିବା ସମୟରେ ତା’ର ସମସ୍ତ ଇନ୍ଦ୍ରିୟ ଶକ୍ତି ନଷ୍ଟ ହୋଇଯାଏ । ଯାହାଫଳରେ ମୁହଁରୁ ଲାଳ ଏବଂ ଝାଳ ବାହାରିଥାଏ । ବ୍ୟକ୍ତି ମୋହ ମାୟା ବନ୍ଧନରୁ ମୁକ୍ତ ହୋଇଥାଏ ଏବଂ ତାକୁ କୈାଣସି କଷ୍ଟ ଜଣା ପଡ଼େନାହିଁ ।
ପାପାତ୍ମା ବ୍ୟକ୍ତିର ମୃତ୍ୟୁ ସର୍ବଦା ଭୟଙ୍କର ହୋଇଥାଏ । ଯମ ଲୋକରୁ ଦୁଇଜଣ ଯମ ଦୂତ ଆତ୍ମାକୁ ନେବା ପାଇଁ ଭୟଙ୍କର ଓ ଭୀଷଣ କ୍ରୋଧରେ ଆସନ୍ତି । ପାପାତ୍ମା ବ୍ୟକ୍ତି ଯମ ଦୂତଙ୍କୁ ଦେଖି ବହୁତ ଡ଼ରି ଯାଏ ଏବଂ ଭୟରେ ମଳ ମୂତ୍ର ତ୍ୟାଗ କରିଦିଏ । ଯମ ଦୂତ ପାପାତ୍ମା ବେକରେ ଫାଶ ଲଗେଇ ଯମ ଲୋକକୁ ଟାଣି ଟାଣି ନେଇଯାନ୍ତି । ପାପାତ୍ମା ଶରୀରରେ ପ୍ରବେଶ କରିବାକୁ ବହୁତ ଚେଷ୍ଟା କରେ କିନ୍ତୁ ଯମ ଫାଶରେ ବନ୍ଧା ହୋଇଥିବାରୁ ସେ ଆଉ ଶରୀରରେ ପଶି ପାରେ ନାହିଁ । ପାପାତ୍ମାକୁ ଟାଣି ଟାଣି ଯମ ଲୋକକୁ ନେବା ସମୟରେ ଯମ ଦୂତ ନର୍କର ସମସ୍ତ ଦଣ୍ଡ ବିଷୟରେ କହି ପାପତ୍ମାକୁ ଭୟଭୀତ କରାନ୍ତି । ଏତେ ଭୟଙ୍କର ଦୃଶ୍ୟ ଏବଂ କଥା ଶୁଣି ପାପାତ୍ମା କାନ୍ଦିବାକୁ ଲାଗେ । ବାଟରେ ଅଟକି ଯିବା ସମୟରେ ଯମଦୂତ କୁକୁର ଲଗାଇ ପାପାତ୍ମାକୁ କାମୁଡ଼ାନ୍ତି ଏବଂ ପିଠିରେ ଚାବୁକ ମାରି ତାକୁ ଘୋଷାଡ଼ି ଘୋଷାଡ଼ି ଅନ୍ଧକାରରେ ଯମଲୋକକୁ ନେଇଯାନ୍ତି । ପାପାତ୍ମା ବ୍ୟକ୍ତି ଭୂଲୋକରୁ ଯମଲୋକକୁ ଗତି ବିଷୟରେ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି । ମୃତ୍ୟୁପରେ ଭୂଲୋକରୁ ଯମଲୋକକୁ ଯାତ୍ରା ୪୭ ଦିନ ଲାଗିଥାଏ । ଏଥିପାଇଁ ଆତ୍ମାକୁ ୧୫ଲକ୍ଷ ୮୪ ହଜାର କିଲୋମିଟର ଗତି କରିବାକୁ ପଡ଼େ । ପାପାତ୍ମାର ଗତି କରୁଥିବା ରାସ୍ତା ଭୟଙ୍କର ଓ କଷ୍ଟ ଦାୟକ ହୋଇଥାଏ ।
ଗରୁଡ଼ ପୁରାଣ ଅନୁସାରେ ପାପାତ୍ମା ଯମପୁରରେ ପହଞ୍ଚିବା ପରେ ଯମ ପାପ ପୁଣ୍ୟର ତାଲିକାକୁ ବିଚାର କରନ୍ତି । ଯମ ଦୂତଙ୍କ ଦ୍ଵାରା ଦିଆଯାଇଥିବା ଦଣ୍ଡ ଏବଂ ଯମଲୋକକୁ ଆସୁଥିବା ସମୟରେ ତାର ପଶ୍ଚାତାପକୁ ବିଚାର କରି ତାକୁ ପୁଣି ଥରେ ଘରକୁ ପଠାଇ ଦିଅନ୍ତି । ଘରକୁ ଫେରିବା ସମୟରେ ପାପାତ୍ମା ପୁଣିଥରେ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରେ ହେଲେ ଶରୀର ନଷ୍ଟ ହୋଇଯାଇଥାଏ । ପୁଅ କିମ୍ବା ପରିବାର ଦ୍ଵାରା ପିଣ୍ଡ ଦାନ ଦିଆ ନଗଲେ ପାପାତ୍ମା ପ୍ରେତ ରୂପ ଧାରଣ କରି ବହୁତ ଦିନ ପର୍ଯନ୍ତ ଘୁରି ବୁଲୁଥାଏ । ସେଥିପାଇଁ ମୃତ୍ୟୁର ଦଶ ଦିନ ପର୍ଯ୍ୟନ୍ତ ପିଣ୍ଡ ଦାନ କରିବା ଆବଶ୍ୟକ । ୧୦ ଦିନ ପିଣ୍ଡଦାନର ଚାରି ଭାଗ ହୁଏ । ପିଣ୍ଡଦାନର ଦୁଇ ଭାଗ ମୃତ୍ୟୁ ଦେହକୁ ଦାନ କରାଯାଏ । ତୃତୀୟ ଭାଗ ଯମଙ୍କୁ ଦିଆଯାଏ । ଚତୁର୍ଥ ଭାଗ ପାପାତ୍ମା ରୂପୀ ପ୍ରେତାତ୍ମାକୁ ଗ୍ରାସ କରିବାକୁ ଦିଆଯାଏ ।
ଗରୁଡ଼ ପୁରାଣ ଅନୁସାରେ ପ୍ରେତକୁ ପ୍ରଥମ ଦିନ ପିଣ୍ଡ ଦାନରେ ମୁଣ୍ଡ ପ୍ରାପ୍ତି ହୋଇଥାଏ । ଦ୍ୱିତୀୟ ଦିନରେ ବେକ ଓ କାନ୍ଧ ତୃତୀୟ ଦିନରେ ହୃଦୟ ଓ ଚତୁର୍ଥ ଦିନରେ ପିଠି ପଞ୍ଚମ ଦିନରେ ନାଭି ଷଷ୍ଠ ଓ ସପ୍ତମ ଦିନରେ ଅଣ୍ଟା ଓ ତଳଭାଗ ଅଷ୍ଟମ ଦିନରେ ଗୋଡ଼ ନବମ ଦିନରେ ପୂରା ଶରୀର ଦଶମ ଦିନରେ ଶରୀରକୁ ବହନ କରିବାର ଶକ୍ତି ପ୍ରଦାନ ହୋଇଥାଏ ତଥା ପ୍ରେତର ଭୋକ ଏବଂ ଶୋଷ ଉତ୍ପନ୍ନ ହୋଇଥାଏ । ଏଗାର ଓ ବାର ଦିନରେ ପ୍ରେତ ଭୋଜନ କରିଥାଏ । ତେର ଦିନ ଯମ ଦୂତ ପ୍ରେତାତ୍ମାକୁ ମାଙ୍କଡ଼କୁ ଧରିବା ପରି ଧରିପକାନ୍ତି ଏବଂ ୪୭ ଦିନରେ ଯମଲୋକରେ ପହଞ୍ଚାଇଥାନ୍ତି । ପୁଣ୍ୟ।ତ୍ମା ସର୍ବଦା ଭଗବାନଙ୍କ ଆଶିଷ ଲାଭ କରିଥାଏ । ')}