ଝଡ଼ତୋଫାନ ରାତିରେ ଦିଲ୍ଲୀ ସାରା ଦୁର୍ଘଟଣା, ୧୫ଟି ବିମାନର ବଦଳିଲା ଗତିପଥ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ଏନସିଆରରେ ହୋଇଥିବା ପ୍ରବଳ ଝଡ଼ତୋଫାନ ସାରା ସହରରେ ଦୁର୍ଘଟଣା ଘଟାଇଛି । ଗୁରୁଗ୍ରାମର ଏକ୍ସପ୍ରେସଓ୍ବେରେ ଏକ ଚଳନ୍ତା କାର ଉପରେ ସାଇନ ବୋର୍ଡ ପଡ଼ିଯିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଝଡ଼ର ପ୍ରଭାର ବିମାନବନ୍ଦରରେ ବି ଦେଖିବାକୁ ମିଳିଛି । ୧୫ଟି ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିଥିଲା। ଗତକାଲିଠୁ ଅଟକିଥିବା ବିମାନ ଆଜି ସକାଳୁ ଯାତ୍ରା ଆରମ୍ଭ କରିଛନ୍ତି । ପୂର୍ବ ଦିଲ୍ଲୀର ମଣ୍ଡାବଲିରେ ଏକ ନିର୍ମାଣାଧୀନ ଛଅ ମହଲା କୋଠାର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।

ଗୁରୁଗ୍ରାମରେ ଏକ ଚଳନ୍ତା କାର ଉପରେ ଏକ ୟୁନିପୋଲ୍ ଖସିପଡ଼ିଛି। ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନୋଏଡାରେ ମଧ୍ୟ ସାଇନବୋର୍ଡ ଏକ କାର ଉପରେ ପଡ଼ିଯାଇଥିଲା, ଯାହା ଡ୍ରାଇଭରଙ୍କ ଜୀବନକୁ ବିପଦରେ ପକାଇଥିଲା। ସୌଭାଗ୍ୟବଶତଃ, ଡ୍ରାଇଭରଙ୍କୁ କେବଳ ସାମାନ୍ୟ ଆଘାତ ଲାଗିଛି।

ଏହା ବ୍ୟତୀତ ଦିଲ୍ଲୀ ଏନସିଆରରେ ଅନେକ ସ୍ଥାନରେ ଗଛ ପଡ଼ିଛି। ଖରାପ ପାଗ ଯୋଗୁ ଯାତାୟତ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ମେଟ୍ରୋର ଗତି ଧୀର ହୋଇଗଲା। ପାଣିପାଗ ବିଭାଗ ମଧ୍ୟ ଦିଲ୍ଲୀ ଏବଂ ଏନସିଆରରେ ପାଗ ସମ୍ପର୍କରେ ଆଜି ପାଇଁ ଏକ ସତର୍କତା ଜାରି କରିଛି।