9/11 Terror Attack: ସେଦିନ ଆମେରିକା ରାଷ୍ଟ୍ରପତି ଆକାଶରେ ହିଁ ଥିଲେ…

1 min read

ବର୍ଷ ୨୦୦୧ । ବିଶ୍ୱ ନୂଆ ଏକ ବର୍ଷରେ ପାଦ ରଖିଥାଏ । ଏହାର ଠିକ୍ ୧୦ ବର୍ଷ ପୂର୍ବରୁ ୨୬ ଡିସେମ୍ବର ୧୯୯୧ରେ ସୋଭିଏତ ସଂଘ ଭାଙ୍ଗିବା ପରେ ଆନୁଷ୍ଠାନିକ ଘୋଷଣା ସହିତ ଆମେରିକା ଶୀତଳ ଯୁଦ୍ଧକୁ ଜିତି ଦୁନିଆର ଏକମାତ୍ର ମହାଶକ୍ତି ହୋଇ ସାରିଥିଲା । ଏହି ସମୟରେ ରାଜ୍ କରୁଥିଲା ଆମେରିକା । ୧୯୯୧ରେ ପ୍ରଥମ ଗଲ୍ଫ ଯୁଦ୍ଧ ହେଉ ବା ୟୁଗୋସ୍ଲାଭିଆରେ ହୋଇଥିବା ଯୁଦ୍ଧ । ଆମେରିକା ତା’ର ସୈନ୍ୟଙ୍କୁ ଏକାଠି କରି ନୂଆ ବିଶ୍ୱ ତିଆରି କରିବାକୁ ଉଦ୍ୟମ କରୁଥାଏ ।

୧୧ ସେପ୍ଟେମ୍ବର ୨୦୦୧ । ଆମେରିକା ଉପରେ ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ କଲା ଓସାମା ବିନ୍ ଲାଡେନ । ଯେଉଁ ଆକ୍ରମଣ ଦୁନିଆର ଇତିହାସକୁ ବଦଳାଇ ଦେଇଥିଲା । ଏହା ଏମିତି ଗୋଟିଏ ଆକ୍ରମଣ ଥିଲା ଯାହା ବିଶ୍ୱ ଆଗରୁ କେବେ ମଧ୍ୟ ଦେଖିନଥିଲା । ଏହି ଆକ୍ରମଣ ଆମେରିକାର ଭ୍ରମକୁ ଭାଙ୍ଗି ଦେଇଥିଲା । ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନ ବିଶ୍ୱର ଏକ ନମ୍ବର ଶକ୍ତିକୁ ମଧ୍ୟ ଟାର୍ଗେଟ୍ କରି ପାରନ୍ତି ସେଦିନ ଦୁନିଆ ଜାଣିଲା ।

ସେହି ଦିନ ଥିଲା ଆମେରିକା ଓ ଦୁନିଆ ପାଇଁ ଭୟ ଓ ଆଶଙ୍କାର ଦିନ । ଏମିତି ଗୋଟିଏ ଦିନ ଯାହା ଆମେରିକାକୁ ମଧ୍ୟ ନିଜ ଶକ୍ତି ଉପରେ ସନ୍ଦେହ କରିବାକୁ ବାଧ୍ୟ କରିଥିଲା । ଆକ୍ରମଣ ଆମେରିକାକୁ କେତେ ଡରାଇ ଥିଲା ତାହା ସେଦିନର ଗୋଟିଏ ଘଟଣାରୁ ଜଣା ପଡେ । ପ୍ରଥମ ପ୍ଲେନ୍ ୱାଲ୍ଡ୍ ଟ୍ରେଡ୍ ସେଣ୍ଟର ସହ ଧକ୍କା ଖାଇବା ବେଳେ ରାଷ୍ଟ୍ରପତି ଜର୍ଜ୍ ବୁଶ ଜୁନିଅର ଗୋଟିଏ ଏଲିମେଣ୍ଟାରି ସ୍କୁଲରେ ପିଲାଙ୍କ ଗହଣରେ ଥିଲେ । ପ୍ରଥମ ଆକ୍ରମଣ ଖବର ତାଙ୍କୁ ଦିଆଯିବା ସମୟରେ ଏହା ଆକ୍ରମଣ ନୁହେଁ ଦୁର୍ଘଟଣା ବୋଲି ଧାରଣା ଥିଲା । କିନ୍ତୁ ଦ୍ୱିତୀୟ ପ୍ଲେନ୍ ଧକ୍କା ଖାଇବା ଖବର ଆସିବା ସହିତ ବୁଶ ଜାଣି ସାରିଥିଲେ ଆମେରିକା ଉପରେ ଆକ୍ରମଣ ହୋଇ ସାରିଛି ।

ତୃତୀୟ ବିମାନ ପେଣ୍ଟାଗନ ସହିତ ଧକ୍କା ଖାଇଥିଲା । ଚତୁର୍ଥ ବିମାନର ଯାତ୍ରୀ କିନ୍ତୁ ଆତଙ୍କବାଦୀଙ୍କ ପ୍ଲାନ୍ କୁ ସଫଳ ହେବାକୁ ଦେଇନଥିଲେ । ଚତୁର୍ଥ ବିମାନର ଟାର୍ଗେଟ୍ ଥିଲା ହ୍ୱାଇଟ୍ ହାଉସ । କିନ୍ତୁ ଯାତ୍ରୀଙ୍କ ସହିତ ସଂଘର୍ଷ କାରଣରୁ ପେନ୍ସିବ୍ଲେନିୟାର ନିକଟସ୍ଥ ଗ୍ରାଉଣ୍ଡରେ କ୍ରାଶ୍ ହୋଇଗଲା
ଆମେରିକା ଏହି ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା । ଚାରି ଚାରିଟି ବିମାନ ଯେତେବେଳେ ଆକାଶରେ କ୍ଷପଣାସ୍ତ୍ର ପାଲଟି ଗଲେ,ସେତେବେଳେ ସୁରକ୍ଷା ଏଜେନ୍ସିଙ୍କ ଭୟ ଥିଲା ଯେ, ରାଷ୍ଟ୍ରପତିଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇ ପାରେ । ରାଷ୍ଟ୍ରପତି ସ୍କୁଲରୁ ବାହାରିବା ପରେ ତାଙ୍କୁ ଏୟାରଫୋର୍ସ ୱାନରେ ନିଆଯାଇଥିଲା ।

ଏୟାର ଫୋର୍ସ ୱାନ୍ ସେ ପର୍ଯ୍ୟନ୍ତ ଆକାଶରେ ରହିଥିଲା ଯେପର୍ଯ୍ୟନ୍ତ ଏହା ସୁନିଶ୍ଚିତ ହୋଇନଥିଲା ଯେ, ଆଉ କୌଣସି ଆକ୍ରମଣର ଆଶଙ୍କା ନାହିଁ । ଏୟାର ଫୋର୍ସ ୱାନ୍ ସହ ସେତେବେଳେ ଉଡୁଥିଲେ ଫାଇଟର ଜେଟ୍ । ସେଦିନ ରାଷ୍ଟ୍ରପତି ବୁଶ ଅନେକ ସମୟ ଧରି ମାଟିକୁ ଓହ୍ଲାଇ ନଥିଲେ । କାରଣ ଆମେରିକା ପାଇଁ ସେଦିନ ଥିଲା ଆତଙ୍କର ଦିନ । ସେପ୍ଟମ୍ବର ୧୧କୁ ସେହି ଆକ୍ରମଣକୁ ୨୦ ବର୍ଷ ପୁରିଛି । ଆମେରିକା ସିକ୍ରେଟ୍ ସର୍ଭିସ ସୋସିଆଲ ମିଡିଆ ଆକାଉଣ୍ଟରେ ଆକ୍ରମଣର କିଛି ଏଭଳି ଫଟୋ ଶେୟାର କରିଛନ୍ତି ଯାହା ପୂର୍ବରୁ କେବେ ମଧ୍ୟ ଦେଖିବାକୁ ମିଳିନାହିଁ ।

Leave a Reply