ଜଳ,ସ୍ଥଳ ଓ ଆକାଶରୁ କେମିତି ହମାସ କରିଥିଲା ହମଲା ?

ତେଲ ଅବିବ:   ଶନିବାର ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି ହମାସ । ଗତ ଦଶନ୍ଧି ମଧ୍ୟରେ ଏହା ହେଉଛି  ଛାତି ଥରାଇବା  ଦେବାଭଳି  ଆତଙ୍କବାଦୀ ଆକ୍ରମଣ ।   କେବଳ ସ୍ଥଳ ଭାଗ ନୁହେଁ ବରଂ କୌଣସି ମଧ୍ୟ ସୀମାକୁ ଛାଡ଼ିନାହିଁ ଏହି ଆତଙ୍କବାଦୀ ସଙ୍ଗଠନ ।  ଜଳ, ସ୍ଥଳ ଏବଂ ଆକାଶ ପଥକୁ ବ୍ୟବହାର କରି ଆକ୍ରମଣ କରିଛି ହମାସ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ  ବର୍ଷ ବର୍ଷର ପରିକଳ୍ପିତ ଯୋଜନା ସହିତ ଆକ୍ରମଣ କରାଯାଇଛି ।     ସବୁଠାରୁ ବଡ଼ କଥା ହେଉଛି ଏହି ଆକ୍ରମଣରେ  ଇସ୍ରାଏଲର ଦୁର୍ବଳ ଡିଫେନ୍ସ ସିଷ୍ଟମ କଥା ପଦାରେ ପଡ଼ିଛି ।  ।  ଇସ୍ରାଏଲର ଡିଫେନ୍ସ ସିଷ୍ଟମକୁ ନେଇ ଏବେ ସବୁଠି ଚର୍ଚ୍ଚା । କେମିତି ସଫଳତାର ରୂପ ନେଲା ହମାସର ଷଡ଼ଯନ୍ତ୍ର ?  କେମିତି ଆତଙ୍କାବଦୀ ତାଙ୍କ ଯୋଜନକୁ ସଫଳ କରିବାରେ ସକ୍ଷମ ହେଲେ ?  କେମିତି ଇସ୍ରାଏଲ ଏତେ ବଡ଼ ଆକ୍ରମଣ ବିଷୟରେ ସମ୍ୟକ ଧାରଣା ମଧ୍ୟ ପାଇଲାନି ।  ଏହା ଏବେ ସମସ୍ତଙ୍କ ବୁଝିବା ବାହାରେ ।  ରିପୋର୍ଟ କହୁଛି,  ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଏହି ବିନାଶକାରୀ ଆକ୍ରମଣକୁ ସଫଳ କରିବା ପାଇଁ ହଜାରେ ଜଣଙ୍କୁ ନେଇ ଏକ ସେନା ଗଠନ କରିଥିଲା ।  ଏମାନଙ୍କୁ ସ୍ପେଶାଲ ୟୁନିଟ୍ସରେ ନିୟୋଜିତ କରାଯାଇଥିଲା ।  ତେବେ ଇସ୍ରାଏଲ ଏବଂ ପାଲେଷ୍ଟାନ ଯୁଦ୍ଧରେ ଏପର୍ଯ୍ୟନ୍ତ  ୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ଏ ଯୋଜନା ମାସେ କିମ୍ବା ଦୁଇମାସର ନୁହେଁ । ଗତ ୨୦୨୧ରେ ହୋଇଥିବା ଯୁଦ୍ଧ ପରଠାରୁ  ଗାଜାରେ ଏହି ଆତଙ୍କାବାଦୀମାନେ ପ୍ରଶିକ୍ଷଣ ନେଉଥିଲେ । ଏମାନେ ଏକ ନକଲି ଇସ୍ରାଏଲ ବସ୍ତି ମଧ୍ୟ ନିର୍ମାଣ କରିଥିଲେ ।   ଯାହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ।   ତେବେ  କୁହାଯାଉଛିଯେ କେତେକ ହମାସ ନେତାଙ୍କ ନିକଟରେ ଏହା ବାବଦରେ ପୂର୍ବରୁ  କୌଣସି  ମଧ୍ୟ ସୂଚନା ନଥିଲା ।   ଅନ୍ୟପଟେ ହମାସ ପ୍ରଥମେ କହିଥିଲାଯେ  ପ୍ରାରମ୍ଭରେ ସେ ୩ ହଜାର ରକେଟ୍‌ ମାଡ଼ କରିଥିଲା  ।  କିନ୍ତୁ ଇସ୍ରାଏଲ ସେନାର କହିବା ହେଉଛି ହମାସ ପ୍ରଥମେ  ୨ ହଜାର ୫ ଶହ ରକେଟ୍‌ ମାଡ଼ କରିଥିଲା ।  ଲୋକଙ୍କୁ ଡରାଇବା ଏବଂ ଭ୍ରମିତ କରିବା ଥିଲା ଏହି ରକେଟ୍‌ ମାଡ଼ର ଲକ୍ଷ୍ୟ ।  କେବଳ ସେତିକି ନୁହେଁ ବରଂ  ଗାଜା ନିକଟସ୍ଥ ମଜବୁତ ବାଡ଼କୁ ଭାଙ୍ଗିବା ଏବଂ ଅପରେସନକୁ  ପରିଣାମ ଦେବା ଥିଲା ଏମାନଙ୍କ ଲକ୍ଷ୍ୟ ।

 ଇସ୍ରାଏଲରେ ପହଞ୍ଚିବାପାଇଁ  ଆତଙ୍କବାଦୀଙ୍କ ପାଇଁ ଆକାଶ ମାର୍ଗରେ ରାସ୍ତା ସାଜିଥିଲା ପାରାଗ୍ଲାଇଡର ।  ସୀମାରେ ପହଞ୍ଚିବାପାଇଁ ଏହାଠାରୁ ଭଲ ରାସ୍ତା ଏମାନଙ୍କ ନିକଟରେ ଆଉ କିଛି ନଥିଲା ।  ଓ୍ୱାନ୍‌ ପର୍ସନ ପାରାଗ୍ଲାଇଡରକୁ ମଧ୍ୟ ବ୍ୟବହାର  କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।  ବାକି ଆତଙ୍କବାଦୀ ଟୁ ପର୍ସନ ପାରାଗ୍ଲାଇଡର ଦ୍ୱାରା ସୀମା ପାର୍‌ ହୋଇଥିଲେ ଆଉ ହାତରେ ଥିଲା ପୁଳା ପୁଳା ମାରାତ୍ମକ ଅସ୍ତ୍ର ଶସ୍ତ୍ର ।  ଫାଇଟର ଜେଟ୍ସ ମଧ୍ୟ ଭିଡ଼ିଓରେ ନଜର ଆସିଛି ।

ଏଲିଟ କମାଣ୍ଡୋ ଗ୍ରାଉଣ୍ଡ ୟୁନିଟ୍‌ :

 ଏହା ୪ ଶହ ଏଲିଟ କମାଣ୍ଡୋଙ୍କ ଗ୍ରୁପ୍‌ । ଯାହାର ଲକ୍ଷ୍ୟ ବିସ୍ଫୋଟକ ସାହାଯ୍ୟରେ  ଗାଜାର ସୀମାକୁ ଭାଙ୍ଗି ଅନୁପ୍ରବେଶ କରିବା ।  କିଛି କ୍ରାସ୍‌ ଅନ୍‌ ମୋଟର ସାଇକେଲ ପରେ ବୁଲଡୋଜରର ମଧ୍ୟ ବ୍ୟବହାର କରାଯାଇଥିଲା । କମାଣ୍ଡୋ ପ୍ରଥମେ ଇସ୍ରାଏଲର ଫଷ୍ଟ ଡିଫେନ୍ସ  ଲାଇନ ଉପରେ ଆକ୍ରମଣ କରିଥିଲେ । ସୈନିକଙ୍କ ଶୟନ ସ୍ଥାନ ଉପରେ ମଧ୍ୟ ଆକ୍ରମଣ କରାଗଲା । ଏହାପରେ  ଦକ୍ଷିଣ ଇସ୍ରାଏଲକୁ ମଧ୍ୟ କବଜା କରାଗଲା ।  ସୀମା ଉପରେ କଡ଼ା ନଜର ରଖିବା ପାଇଁ ହମାସ ଡ୍ରୋନ୍‌ ମଧ୍ୟ ବ୍ୟବହାର କରିଛି ।

ହମାସର ଇଣ୍ଟଲିଜେନ୍ସ ୟୁନିଟ୍‌

ଇସ୍ରାଏଲ ସୈନିକଙ୍କ ସ୍ଥିତି ଏବଂ ଗତିବିଧି ଉପରେ ନଜର ରଖିବା ପାଇଁ ହମାସ ତା’ର ଇଣ୍ଟଲିଜେନ୍ସ ୟୁନିଟକୁ ବ୍ୟବହାର କରିଥିଲା ।  କିନ୍ତୁ ଏହି ୟୁନିଟ୍‌ ବାବଦରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରି ନାହିଁ ।