ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ୭ ଆତଙ୍କବାଦୀ ଏବେ କଣ କରୁଛନ୍ତି ?

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧଦିବସ । ଆଜିର ଦିନରେ ୧୯୯୧ ମସିହାରେ ରାଜୀବ ଗାନ୍ଧୀଙ୍କୁ ତାମିଲ ଚିତା(ଲିବରେସନ୍ ଟାଇଗର୍ସ ଅଫ ତାମିଲ ଇଲମ) ହତ୍ୟା କରିଥିଲେ । ଏଲଟିଟିଇ ମୁଖ୍ୟ ଭି.ପ୍ରିଭାକରନ୍ ଆଦେଶରେ ଏହି ହତ୍ୟା ହୋଇଥିଲା । ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର ପଛରେ ଯେଉଁମାନେ ଥିଲେ ଓ ଯେଉଁମାନେ ତାମିଲନାଡୁରେ ରାଜୀବଙ୍କ ହତ୍ୟା ଯୋଜନାକୁ କାର୍ଯ୍ୟକାରୀ କରାଇଥିଲେ ସେମାନଙ୍କ ସହ କ’ଣ ହୋଇଥିଲା ?

ରାଜୀବଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ୭ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଦୋଷୀ –ମୁରୁଗନ,ସଂଥନ,ପେରାରିବଲନ ଓ ନଲିନୀ(ମରୁଗନର ପତ୍ନୀ)ଙ୍କ ଫାଶୀ ଆଦେଶ କାଏମ ରହିଥିଲା । ଅନ୍ୟପକ୍ଷରେ ୩ ଜଣ ଦୋଷୀ ରବର୍ଟ ପୟାସ, ଜୟକୁମାର ଓ ରବିଚନ୍ଦ୍ରନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାବାସରେ ବଦଳାଯାଇଥିଲା । ୮ ଅକ୍ଟୋବର ୧୯୯୯ରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ ୪ ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ନଳିନୀ: ରାଜୀବ ହତ୍ୟାକାଣ୍ଡ ଷଡ଼ଯନ୍ତ୍ରର ମୁଖ୍ୟ ଚରିତ୍ର

ନଳିନୀ ଗତ ୨୯ ବର୍ଷ ଧରି ଜେଲରେ ଅଛି । ସେ ଦୁନିଆର ସବୁଠାରୁ ଅଧିକ ବର୍ଷ ଜେଲରେ ବିତାଇଥିବା କଏଦୀ । ସେ ଏଲଟିଟିଇ ପାଇଁ କାମ କରୁଥିବା ମୁରୁଗନ ଶ୍ରୀହରନର ପତ୍ନୀ ଥିଲା । ନଳିନୀ ଗିରଫ ହେବା ସମୟରେ ଦୁଇ ମାସର ଗର୍ଭବତୀ ଥିଲା । ଜେଲରେ ହିଁ ସେ ନିଜ ସନ୍ତାନକୁ ଜନ୍ମ ଦେଇଥିଲା । ନଳିନୀର ଝିଅ ଅରିଥ୍ରା ଏବେ ଲଣ୍ଡନରେ ରହୁଛି । ସେ ଜଣେ ଡାକ୍ତର । ଚେନ୍ନାଇରେ ଜନ୍ମିତ ନଳିନୀ ଇଂରାଜୀ ସାହିତ୍ୟାରେ ଗ୍ରାଜୁଏଟ୍ । ଏଲଟିଟିଇ ସଂପର୍କରେ ଆସିବା ପୂର୍ବରୁ ସେ ଗୋଟିଏ ପ୍ରାଇଭେଟ୍ କଂପାନୀରେ ଚାକିରି କରୁଥିଲା ।

ଶ୍ରୀଲଙ୍କାର ଜାଫନାରୁ ଆସିଥିଲା ମୁରୁଗନ୍

ମୁରୁଗନ ଶ୍ରୀହରଣ ଶ୍ରୀଲଙ୍କାର ଜାଫନାରୁ ଆସିଥିଲା । ସେ ଏଲଟିଟିଇର ଟ୍ରେନର ଓ ବୋମା ବିଶେଷଜ୍ଞ ଥିଲା । ସେ ନିଜେ ସ୍ୱୀକାର କରିଥିଲା ଯେ, ତାକୁ ଏଲଟିଟିଇ ସୁପ୍ରିମୋ ପ୍ରଭାକରନଠାରୁ ଆଦେଶ ମିଳୁଥିଲା । ମୁରୁଗନ ନଳିନୀ ସହ ବିବାହ କରିଥିଲା ।  ରାଜୀବ ହତ୍ୟା ମାମଲାରେ ଏହି ଦମ୍ପତ୍ତିଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ତେବେ ପରେ ସେମାନଙ୍କ ସଜ୍ଜାକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଥିଲା । ମୁରୁଗନ୍ ଏବେ ଜେଲରେ ନିଜ ସଜ୍ଜା କାଟୁଛି ।

ଆତ୍ମଘାତି ଆକ୍ରମଣକାରୀ ଧନୁର ବନ୍ଧୁ ଥିଲା ସଂଥନ୍

ସଂଥନ ରାଜୀବ ଗାନ୍ଧୀଙ୍କ ହତ୍ୟା କରିଥିବା ଆତ୍ମଘାତି ଆକ୍ରମଣକାରୀ ଧନୁର ବନ୍ଧୁ ଥିଲା । ସଂଥନର ଏଲଟିଟିଇର ଟପ୍ କମାଣ୍ଡରଙ୍କ ସହ ସଂପର୍କ ଥିଲା ।  ଧନୁକୁ ସାହାଯ୍ୟ କରିବା ସହ ଷଡ଼ଯନ୍ତ୍ରରେ ସାମିଲ ହେବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତାକୁ ମୃତ୍ୟୁଦଣ୍ଡ ମିଳିଥିଲା । ପରେ ତା’ର ଦଣ୍ଡକୁ କ୍ଷମା କରାଯାଇଥିଲା । ସଂଥନ ରାଜବୀ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶିବରାସନର ନିକଟତର ଥିଲା । ଶିବରାସନ୍ ଆକ୍ରମଣର ପରେ ଆତ୍ମହତ୍ୟା କରିଥିଲା

ଇଞ୍ଜିନିୟରିଂ ଛାତ୍ରରୁ ଆତଙ୍କବାଦୀ

ଏଜି ପେରାରିବଲନ୍ ତାମିଲନାଡୁର ବେଲ୍ଲୋର ଜିଲ୍ଲାର ବାସିନ୍ଦା ଥିଲା । ସେ ଇଲେକଟ୍ରୋନିକ୍ସ ଓ କମ୍ୟୁନିକେସନ୍ ଇଂଜିନିୟରିଂ ପଢ଼ିଥିଲା । ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ୪ ଜଣଙ୍କ ଭିତରେ ପେରାରିବଲନ ମଧ୍ୟ ଥିଲା । ତେବେ ଅନ୍ୟମାନଙ୍କ ଭଳି ପେରାରିବଲନକୁ ମଧ୍ୟ ରାଜକ୍ଷମା ମିଳିଥିଲା ଓ ସେ ଫାଶୀ ଖୁଣ୍ଟରୁ ବଂଚିଯାଇଥିଲା ।

ଷଡ଼ଯନ୍ତ୍ରକାରୀଙ୍କୁ ସାହାଯ୍ୟ କରିଥିଲା ପୟାସ

(ତାମିଲ ଟାଇଗର୍ସର ଲୋଗୋ)

ପୟାସ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ଆତଙ୍କବାଦୀଙ୍କୁ ଲୁଚିବାରେ ସାହାଯ୍ୟ କରିଥିଲା । ସେ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରୁଥିଲା । ତାକୁ ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏବେ ସେ ଜେଲରେ ସଜ୍ଜା କାଟୁଛି ।

ପି.ରବିଚନ୍ଦ୍ରନ ଥିଲା ଏଲଟିଟିଇର ସକ୍ରିୟ ସଦସ୍ୟ

(ପ୍ରଭାକରନ ସହ ତାମିଲ ଚିତା)

ଧନୁ, ମୁରୁଗନ ଓ ମଂଥନ ଭଳି ରବିଚନ୍ଦ୍ରନ୍ ମଧ୍ୟ ଏଲଟିଟିଇର ସକ୍ରିୟ ସଦସ୍ୟ ଥିଲା । ସେ ଶ୍ରୀଲଙ୍କାରୁ ଟ୍ରେନିଂ ନେଇ ଭାରତ ଆସିଥିଲା । ସୁପ୍ରିମକୋର୍ଟ ତା’ ସହିତ ଅନ୍ୟ ଦୁଇଜଣଙ୍କୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ରବିଚନ୍ଦ୍ରନ୍ ଏବେ ମଧ୍ୟ ଜେଲରେ ଅଛି

ଜୟକୁମାରନଙ୍କୁ ଭାରତ ପଠାଇଥିଲା ପ୍ରଭାକରନ୍

(ପ୍ରଭାକରନ୍)

ଜୟକୁମାରନକୁ ଭାରତ ପଠାଇବା ପାଇଁ ପ୍ରଭାକରନ୍ ଆଦେଶ ଦେଇଥିଲା । ସେ ଅନ୍ୟଜଣେ ଦୋଷୀଙ୍କ ସଂପର୍କୀୟ ଥିଲା । ତାକୁ ମଧ୍ୟ ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେ ଏବେ ଜେଲରେ ସଜ୍ଜା କାଟୁଛି

Leave a Reply