କରୋନାର ନୂଆ ଭାରିଆଣ୍ଟ XEର କ’ଣ ରହିଛି ଲକ୍ଷଣ ଜାଣନ୍ତୁ…

1 min read

ଦେଶରେ କରୋନାର ପ୍ରକୋପ ଧିରେ ଧିରେ କମିବାର ଦେଖାଯାଉଛି । କେବଳ ଭାରତ ନୁହେଁ ସାରା ପୃଥିବୀ ୨ ବର୍ଷରୁ ଅଧିକ ସମୟ ଧରି ଏହି ମହାମାରୀର ସାମନା କରିଆସୁଛି । ସମୟକ୍ରମେ କରୋନାର ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଓମିକ୍ରନର BA.2 ନାମକ ଏକ ଭାରିଆଣ୍ଟ ଦେଖାଯାଇଥିଲା । ବର୍ତ୍ତମାନ XE ନାମକ ଏକ ନୂଆ ଭାରିଆଣ୍ଟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି । ଏହି XE ଭାରିଆଣ୍ଟ ଏବଂ କପ୍ପା ଭାରିଆଣ୍ଟ ମୁମ୍ୱାଇରେ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ମାତ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବାନୁସାରେ ମୁମ୍ୱାଇରେ ମିଳିଥିବା ନୂଆ ଭାରିଆଣ୍ଟର ଯାଞ୍ଚ କରାଯାଉଛି ମାତ୍ର ଏହା XE ଭାରିଆଣ୍ଟ ବୋଲି ଏଯାବତ୍ ସ୍ପଷ୍ଟ ହୋଇନାହିଁ ।

ରିପୋର୍ଟ ଅନୁସାରେ ଓମିକ୍ରନର XE ନାମକ ନୂଆ ଭାରିଆଣ୍ଟ BA.1 ଓ BA.2 ଭଳି ଅନ୍ୟ ସମସ୍ତ ଭାରିଆଣ୍ଟଠାରୁ ୧୦ ପ୍ରତିଶତ ଅଧିକ ସଂକ୍ରାମକ । ଏହି ଭାରିଆଣ୍ଟ କେତେ ବିପଦଜନକ ତାହା ବର୍ତ୍ତମାନ ସ୍ଥିତିକୁ ଦେଖି କହିବା କଷ୍ଟକର । ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡର ଭିନ୍ନ ଭିନ୍ନ ଲକ୍ଷଣ ପରିଲକ୍ଷିତ ହୋଇଥାଏ । କରୋନା ମହାମାରୀ କେତେକଙ୍କ ଉପରେ ଖୁବ୍ କମ୍ ପ୍ରଭାବ ପକାଇଥିବା ବେଳେ କେତେକ ମରଣ ମୁହଁରୁ ଫେରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ନ୍ୟାସନାଲ ହେଲଥ୍ ସର୍ଭିସର ରିପୋର୍ଟ ଅନୁସାରେ କ’ଣ ରହିଛି କରୋନାର ନୂଆ ଭାରିଆଣ୍ଟ XEର ଲକ୍ଷଣ :

  • ଜ୍ଜ୍ୱର
  • ବ୍ରେନ୍ ଫଗ୍
  • ମାନସିକ ଭ୍ରମ
  • ଭୟଭୀତ ହେବା
  • ହାଇପୋକ୍ରେସିଆ
  • ରକ୍ତଚାପ ବୃଦ୍ଧି ହେବା
  • ମୁହଁର ରଙ୍ଗ ପରିବର୍ତ୍ତନ ହେବା

ଯଦି କୌଣସି ବ୍ୟକ୍ତିଙ୍କୁ ଭୀଷଣ ଜ୍ଜ୍ୱର ସହ ଲଗାତାର କାଶ ଏବଂ ସ୍ୱାଦ-ଗନ୍ଧ ବାରିବାରେ ଅସୁବିଧା ହେଉଛି ତେବେ ଏହା କୋଭିଡର ଲକ୍ଷଣ । ଯେଉଁ ବ୍ୟକ୍ତିଙ୍କର ଏଭଳି ଲକ୍ଷଣ ଦେଖାଯାଉଛି ସେ ତୁରନ୍ତ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଶୀଘ୍ର ଯାଞ୍ଚ କରିବା ଆବଶ୍ୟକ ।

 

ବ୍ରିଟେନରେ ମିଳିଛି କରୋନାର ନୂଆ ଭାରିଆଣ୍ଟ :

କରୋନାର ଏହି ନୂଆ ଭାରିଆଣ୍ଟ ବ୍ରିଟେନରେ ଦେଖିବାକୁ ମିଳିଛି । ବ୍ରିଟେନରେ XE ଭାରିଆଣ୍ଟରେ ପ୍ରାୟ ୬୭୩ ଲୋକ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏହି ଭାଇରସ୍ ଆଗକୁ ମାରାତ୍ମକ ହୋଇପାରେ । ବର୍ତ୍ତମାନ ସତର୍କତା ଅବଲମ୍ୱନ ନ କଲେ ସାରା ବିଶ୍ୱକୁ ଏହା ଖୁବ୍ କମ୍ ଦିନରେ ସଂକ୍ରମିତ କରିବ ବୋଲି ଅନୁମାନ କରାଯାଉଛି । ମାଇ ଗମେଣ୍ଟ ରିପୋର୍ଟ ଅନୁସାରେ ଭାରତରେ ୧୮୫ କୋଟିରୁ ଅଧିକ ଲୋକ ଭ୍ୟାକ୍ସିନ ଡୋଜ ନେଇସାରିଲେଣି । କେତେକ ରାଜ୍ୟରେ କରୋନା ଗାଇଡଲାଇନ୍ ହଟାଯାଇଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ ।