ପଶ୍ଚିମ ଓଡ଼ିଶା ବିକାଶ ନକ୍ସାରେ ଶିକ୍ଷାକୁ ଫୋକସ୍

ସମ୍ବଲପୁର: ଦୈନିକ ଖବରକାଗଜ ‘ସକାଳ’ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଦହନା’ର ପ୍ରଥମ ଅଧିବେଶର ବିଷୟ ବସ୍ତୁ ଥିଲା ‘ପଶ୍ଚିମ ଓଡ଼ିଶା ବିକାଶର ନକ୍ସା’ । ଏଥିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବରଗଡ଼ ସାଂସଦ ସୁରେଶ ପୂଜାରୀ ସାମିଲ ହୋଇଥିଲେ । ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ଏହାକୁ ସଂଯୋଜନା କରିଥିଲେ । ତିନି ଅତିଥି ଏମିତି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସକାଳ ଓ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଅର୍ପଣ କରିଥିଲେ । ପଶ୍ଚିମ ଓଡ଼ିଶାର ରୂପରେଖକୁ ନେଇ ତିନି ନେତା ନିଜ ମତ ଦେବା ସହ ଶିକ୍ଷାର ବିକାଶ ବିନା ପଶ୍ଚିମ ଓଡ଼ିଶାର ବିକାଶ ଅସମ୍ଭବ ବୋଲି କହିଥିଲେ ।

ଶିକ୍ଷାର ବିକାଶ ବିନା ପଶ୍ଚିମ ଓଡ଼ିଶାର ବିକାଶ ଅସମ୍ଭବ

ଅଧିବେଶନଟି ଆରମ୍ଭ ହୋଇଥିଲା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପାଖରୁ । ଅଧିବେଶନରେ ପଶ୍ଚିମ ଓଡ଼ିଶାର ଏବେ ବି ପଛୁଆ ହୋଇ ରହିଛି ଓ ଏହାର ବିକାଶ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ନରସିଂହ । ଏଥିପାଇଁ ଶିକ୍ଷା ଉପରେ ସେ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ, ‘ପଶ୍ଚିମ ଓଡ଼ିଶାରେ ୯୦୦ରୁ ୧୦୦୦ ବର୍ଷ ତଳେ ଗଣତନ୍ତ୍ର ଶାସନ ଥିଲା । ଶିକ୍ଷାର ପ୍ରସାର  ସହ ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆସିଥିଲା । ସେ ସମୟରେ ଗନ୍ଧମାର୍ଦ୍ଧନ ପାହାଡର ହରିଶଙ୍କର ନୃସିଙ୍ଗନାଥ ଓ ରାଣିପୁର ଝରିଆଲରେ ୟୁନିର୍ଭସିଟି ଥିଲା । ବିଦେଶରୁ ପିଲା ଆସି ସେଠାରେ ପାଠ ପଢୁଥିଲେ । ରାଜତନ୍ତ୍ର ପ୍ରତିଷ୍ଠା ହେବା ପରେ ସାମନ୍ତବାଦ ଚିନ୍ତାଧାରା ମୁଣ୍ଡରେ ପଶିଲା ଓ ସାମାଜିକ, ଅର୍ଥନୀତି କ୍ଷେତ୍ରରେ ଅଧୋଗତି ଆରମ୍ଭ ହୋଇଥିଲା । ଦେଶ ସ୍ବାଧୀନ ହେବା ପରେ କିଛି କିଛି ଉନ୍ନତି ହୋଇଥିଲେ ବି ଲୋକେ ଏହାକୁ ଅନୁଭବ କରିପାରୁନାହାନ୍ତି ।’

ସେ ଆହୁରି କହିଥିଲେ, ‘କେବଳ ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବରଗଡ଼ର କିଛି ଅଞ୍ଚଳ ଦେଖିଲେ ପଶ୍ଚିମ ଓଡ଼ିଶାର ବିକାଶ ହୋଇଛି ବୋଲି କହିପାରିବାନି । କୁଚିଣ୍ଡା, ରେଢାଖୋଲ, ପଦ୍ମପୁର, ବଲାଙ୍ଗିର, ସୋନପୁର, ନୂଆପଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡିର ବହୁ ଅଞ୍ଚଳକୁ ଅନୁଧ୍ୟାନ କଲେ ଅନୁଭବ କରିପାରିବେ ଏସବୁ ଅଞ୍ଚଳ ଏବେ ବି ବିକାଶଠାରୁ ଦୂରରେ ରହିଛନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ସ୍ବାଧୀନତାର ୭୫ ବର୍ଷ ପରେ ବି କଲେଜ, ୟୁନିର୍ଭସିଟିରେ ଅଧ୍ୟାପକ ଓ ପ୍ରଫେସର ନାହାନ୍ତି । ସରକାର ଆସିଛନ୍ତି ଯାଇଛନ୍ତି । ହେଲେ କେହି ଏ ଅଞ୍ଚଳର ଶିକ୍ଷାର ବିକାଶ କରିପାରିନାହାନ୍ତି । ଶିକ୍ଷାର ବିକାଶ ବିନା ଅଞ୍ଚଳର ବିକାଶ କଥା ଚିନ୍ତା କରିପାରିବା ନାହିଁ । ଶିକ୍ଷା କ୍ଷେତ୍ରରେ ମୂଳଦୁଆ ଦୃଢ ହେବା ଦରକାର । ଏହାସହ ଭାଷାର ଉନ୍ନତି ହେବା ଆବଶ୍ୟକ ।’

ଓଡ଼ିଶାର ବିକାଶ ବିନା ପଶ୍ଚିମ ଓଡ଼ିଶା ପ୍ରତି ନ୍ୟାୟ ହେବନି

ଅନ୍ୟତମ ଅତିଥି ବରଗଡ଼ ସାଂସଦ ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାର ବିକାଶକୁ ନେଇ ଏମିତି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସକାଳ ଓ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସେ ସ୍ବାଧୀନତା ସଂଗ୍ରାମରେ ପଶ୍ଚିମ ଓଡ଼ିଶାର ବର ପୁତ୍ରଙ୍କୁ ମନେ ପକାଇଥିଲେ । ସେ କହିଥିଲେ, ‘୧୮୫୭ ମସିହାକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଏ । ହେଲେ ଏହାର ୨୮ ବର୍ଷ ପୂର୍ବରୁ ପଶ୍ଚିମ ଓଡ଼ିଶାର ମାଆ ଓ ମାଟି ସ୍ବାଧୀନତା ପାଇଁ ଲଢେଇ କରିଥିଲା । କେବଳ ସୁରେନ୍ଦ୍ର ସାଏ ନୁହଁନ୍ତି, ଘେଁଷ ଅଞ୍ଚଳର ମାଧୋ ସିଂଙ୍କ ପରିବାର ତିନି ପିଢି ରାଷ୍ଟ୍ର ପାଇଁ ବଳିଦାନ ଦେଇଛନ୍ତି । ଗୋଟିଏ ପରିବାରର ବାପ, ପୁଅ ଓ ଜ୍ବାଇଁ ସ୍ବାଧୀନତା ପାଇଁ ବଳିଦାନ ଦେଇଥିଲେ । ସେହିପରି କବି ଗଙ୍ଗାଧର ମେହେର, ସନ୍ଥ କବି ଭୀମଭୋଇଙ୍କ ତୁଳନା ନାହିଁ । ପଶ୍ଚିମ ଓଡ଼ିଶାର ସାହିତ୍ୟ କଳା, ସଂସ୍କୃତିର ତୁଳନା ନାହିଁ । ଭାରତର କୌଣସି ଅଞ୍ଚଳର ଅବଦାନ ଯଦି ମନେ ପକାଇବା ତେବେ ତାହା ପଶ୍ଚିମ ଓଡ଼ିଶା । ଦେଶ ପାଇଁ ଏତେ ଅବଦାନ ପରେ ବି ଆଜି ଆମେ ପଛରେ ଅଛନ୍ତି । ଓଡ଼ିଶାର ସନ୍ତୁଳିତ ବିକାଶ ନହେଲେ ପଶ୍ଚିମ ଓଡ଼ିଶା ପ୍ରତି ନ୍ୟାୟ ହେବ ନାହିଁ । କୃଷି, ଶିକ୍ଷା, ଗମନାଗମନ ସହ ସବୁ କ୍ଷେତ୍ରର ବିକାଶ ହେଲେ ଓଡ଼ିଶାର ବିକାଶ ହୋଇପାରିବ ।’

ସେ ଆହୁରି କହିଥିଲେ, ‘ପଶ୍ଚିମ ଓଡ଼ିଶାର ବିକାଶ ଅସନ୍ତୁଳିତ ହୋଇ ରହିଛି । ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର କମ୍ପାଜିଟ ବିକାଶ ପାଇଁ ଯେଉଁ ରୋଡ ମ୍ୟାପ ହେବା କଥା ହୋଇନାହିଁ । ସାମଗ୍ରୀକ ବିକାଶ ପାଇଁ ଯଦି ରୋଡ ମ୍ୟାପ ନହେବ ବିକାଶ ହେବ ନାହିଁ  । ଆଗକୁ କ’ଣ ହେବ, ଭବିଷ୍ୟତ କ’ଶ ହେବ କହିହେବନାହିଁ ।’

ଶିକ୍ଷାର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି

ପଶ୍ଚିମ ଓଡ଼ିଶା କ’ଣ ତା’ର ସଂଜ୍ଞା କହିଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସେ କହିଥିଲେ, ‘ପଶ୍ଚିମ ଓଡ଼ିଶା ଏକ ନିର୍ଦ୍ଧିଷ୍ଟ ସୀମାରେ ସୀମିତ ନୁହେଁ । ଏକ ସଂସ୍କୃତି, ପରମ୍ପରା, ଚଳଣି, ଭାଷା ଓ ଅନେକ ପର୍ବପର୍ବାଣିର ପରିପ୍ରକାଶ । ଭୌଗଳିକ ସୀମାରେ ଆବଦ୍ଧ ନୁହେଁ । ଭାବଗତ, ଆତ୍ମିୟତା ହେଉଛି ପଶ୍ଚିମ ଓଡ଼ିଶା । ଶିକ୍ଷା, ଜଳସେଚନ ଓ ଗମନାଗମନ ବିନା ବିକାଶ କରାଯାଇପାରିବ ନାହିଁ । ଏହାର ବିକାଶ ହେଲେ ଅନ୍ୟ ବିକାଶ ଆପେ ଆପେ ଆସିବ । ଶିକ୍ଷା କ୍ଷେତ୍ରରେ ଆଜି ଆମର ସ୍ଥାନ କେଉଁଠି ? ସ୍ବାଧୀନତା ପୂର୍ବରୁ ଗଙ୍ଗାଧର ମେହେର କଲେଜ ପ୍ରତିଷ୍ଠା ହୋଇଥିଲା । ବହୁ ବର୍ଷ ପରେ ବରଗଡ଼ରେ ଘରୋଇ ଉଦ୍ୟମରେ ହୋଇଥିଲା । ପରବର୍ତ୍ତୀ ସମୟରେ ଯେତେ ସବୁ ଶିକ୍ଷାନୁଷ୍ଠାନ ହୋଇଛି, ତାହା ଘରୋଇ ଉଦ୍ୟମରେ ହୋଇଛି । ଆଜି ବି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ସରକାରୀ କଲେଜ ନାହିଁ । ଶିକ୍ଷାର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଉଛି । ଏଥିପାଇଁ କିଛି ସମୟ ଲାଗିବ ।

‘ଦହନା’ ପତ୍ରିକା ଉନ୍ମୋଚିତ

ଏହି ଅବସରରେ ବାର୍ଷିକ ପତ୍ରିକା ‘ଦହନା’ ଉନ୍ମୋଚିତ ହୋଇଥିଲା । ତିନି ଅତିଥିଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ସିଓଓ ଜବର ସିଂ ପନଓ୍ବର, ଦୈନିକ ସକାଳର କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ସିଇଓ ସୁବ୍ରତ କୁମାର ଦାସ, ପ୍ରକାଶକ ଅମିତ ମଲ୍ଲିକ, ସମ୍ବଲପୁର ଶାଖା ପରିଚାଳକ ନରୋତ୍ତମ ଗୁରୁ ଦହନା ପତ୍ରିକାର ଉନ୍ମୋଚନ କରିଥିଲେ ।

ପରେ ବିକାଶ ଗ୍ରୁପ ଅଧ୍ୟକ୍ଷ ମୂରଲୀକ୍ରିଷ୍ଣା, ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ, ବିଧାୟକ ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସାଂସଦ ସୁରେଶ ପୂଜାରୀଙ୍କୁ ସକାଳ ଏବଂ ନନ୍ଦିଘୋଷ ଟିଭି ତରଫରୁ ସମ୍ମାନିତ କରାଯାଇଥିଲା । ତିନି ଅତିଥିଙ୍କୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସମ୍ମାନିତ କରିଥିଲେ ।