ବୋହୂ ପାଇଁ ବର ଖୋଜିଲେ, କନ୍ୟାଦାନ କଲେ ଶ୍ବଶୂର

ଆସନସୋଲ: ମୁଁ ପୁଣି ମଥାରେ ସିନ୍ଦୁର ନାଇବି  । ପୁଣି ଭୋଜିଭାତର ଆସର ଜମିବ  । ପୁଣି ସାଙ୍ଗସାଥୀ, ସମ୍ପର୍କୀୟଙ୍କ ଗହଳିରେ ଘର କମ୍ପିବ  । ବଡ ମାନଙ୍କ ଆଶୀର୍ବାଦ ନେଇ ପୁଣି ଉଜୁଡି ଯାଇଥିବା ସଂସାର ସଜାଡିବି । ଆଉ ତା ପରେ ମଥାରେ ଓଢଣୀ ଦେଇ ଶାଶୂଘର ଚାଲିଯିବି  । ଆଜ୍ଞା ହଁ ଏମିତି କେତେ ଜଣଙ୍କ ଭାଗ୍ୟରେ ଦ୍ବିତୀୟ ବିବାହର ସୁଯୋଗ ଆସେ  । ତାହା ପୁଣି ଯେଉଁ ଘରକୁ ଦିନେ ବୋହୂ ହେଇ ଯାଇଥିଲେ ସେହି ପରିବାର କନ୍ୟା ଦାନ କରିବେ  । କୌଣସି କାହାଣୀ ଭଳି ଲାଗୁଥିବା ଏ ଦୃଶ୍ୟ ହେଉଛି ପଶ୍ଚିମବଙ୍ଗ ଆସାନସୋଲର ଜମୁଡ଼ିଆ ଗାଁରେ ।

ବିଧବା ବୋହୂକୁ ପୁଅର ସାଙ୍ଗ ସହ ବିବାହ କରାଇଛନ୍ତି ଖୋଦ ଶ୍ବଶୁର । ସତ୍ୟ ଚାଟାର୍ଜୀଙ୍କ ଏକମାତ୍ର ପୁଅର ୪ ବର୍ଷ ପୂର୍ବେ ବାହାଘର ହୋଇଥିଲା । ବିବାହର ୨ ବର୍ଷ ପରେ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ ପୁଅ । ସବୁଦିନ ପାଇଁ ପୁଅ ସିନା ବୋହୂ ଓ କୁନି ନାତୁଣୀକୁ ଏକାକୀ କରି ଚାଲିଯାଇଥିଲା ସତ । ହେଲେ ବୋହୂର ଅସଜଡା ସଂସାରକୁ ସଜାଡିବାକୁ ଚେଷ୍ଟା କରିଥିଲେ ଶ୍ବଶୂର ସତ୍ୟ ଚାଟାର୍ଜୀ ।

ମୃତପୁଅର ସାଙ୍ଗ ସହ ବୋହୂର ବିବାହ ପ୍ରସ୍ତାବ ପକାଇଥିଲେ ଶ୍ବଶୂର  । ଏଥିରେ ପୁଅର ସାଙ୍ଗ ରାଜି ମଧ୍ୟ ହୋଇ ଯାଇଥିଲେ । ସାଙ୍ଗ ସହ କାଳୀପାହାଡ଼ି ଅଞ୍ଚଳରେ ଥିବା ଘାଘଡ଼ ଗୁଡ଼ି ମନ୍ଦିରରେ ସତ୍ୟଙ୍କ ବିଧବା ବୋହୂର ବିବାହ ସମ୍ପନ୍ନ ହୋଇଛି । ଶ୍ବଶୁର ସତ୍ୟ ଚାଟାର୍ଜୀ ବିଧବା ବୋହୂର କନ୍ୟାପିତା ସାଜି ବିବାହ କରାଇଛନ୍ତି । ଏପରି ମହତ କାମ କରି ସତ୍ୟ କହିଛନ୍ତି, ଏହା ମୋ ପାଇଁ ଖୁସିର କଥା । ମୋର ବୟସ ହେଲାଣି, କେବେ କ’ଣ ହେବ କହି ହେବନି । ବିଧବା ବୋହୂ ଓ ତା’ କୁନିଝିଅ ହଇରାଣ ହୋଇଥାନ୍ତେ । ଏବେ ଶାନ୍ତିରେ ରହିବେ ।

ବିଧବା ବୋହୂକୁ ପୁଅର ସାଙ୍ଗ ସହ ଶ୍ବଶୁର ବିବାହ କରାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଯୌତୁକ ନିର୍ଯାତନା ଦେଇ ଶାଶୂଘର ଲୋକ ବୋହୂକୁ ହତ୍ୟା କରିବା ଘଟଣା ନିତିଦିନିଆ ହେଉଥିବାବେଳେ  ଶ୍ବଶୁର ସତ୍ୟ ଚାଟାର୍ଜୀଙ୍କ ମହତ ଉଦ୍ଦେଶ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।