ଆଇଫୋନ ପାଇଁ ପିଲା ବିକ୍ରି, ୮ମାସର ଶିଶୁ ବିକିଦେଲେ ବାପାମାଆ

କୋଲକାତା: ଘାରିଛି ରିଲ୍ସ ନିଶା । ରିଲ୍ସ ପାଇଁ ରିଅଲ ଲାଇଫ ହେଉଛି ବରବାଦ । ଆଇଫୋନ୍ କିଣିବା ରିଲ୍ସ କରିବା ପାଇଁ ୮ ମାସର ଶିଶୁକୁ ବିକ୍ରି କରିଦେଇଛନ୍ତି ବାପା ମାଆ । ଘଟଣା ଘଟିଛି ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲା ପାଣିହାଟୀ ୧୧ ନମ୍ବର ୱାର୍ଡ ଗାନ୍ଧୀ ନଗର ଅଞ୍ଚଳରେ । ଏଠାରେ ରହୁଥିବା ଏକ ପରିବାରରେ ୮ ମାସର କଅଁଳା ଛୁଆକୁ ଆଇଫୋନ ୧୪ କିଣିବା ପାଇଁ ବିକ୍ରି କରିଦେଇଥିଲେ ବାପାମାଆ । ଅନ୍ୟପଟେ ଛୁଆକୁ କିଣି ଥିବା ମହିଳା ସହିତ ବାପା ମାଆଙ୍କୁ ଗିରଫ କରିଛି ପୋଲିସ । ଅଭାବ ସତ୍ତ୍ବେ ଅଭିଯୁକ୍ତ ବାପାମାଆଙ୍କୁ ଘାରିଥିଲା ଆଇଫୋନ ୧୪ କିଣି ରିଲ୍ସ କରିବାକୁ । ଭିଡିଓ କରି ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ପ୍ଲାନ କରିଥିଲେ । ସେଥିପାଇଁ ଏକ ମାତ୍ର ସନ୍ତାନକୁ ସେମାନେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏ ନେଇ ଅଞ୍ଚଳବାସୀ ପୋଲିସକୁ ଖବର ଦେବାରୁ ପୋଲିସ ତନାଘନା ଆରମ୍ଭ କରିଦେଇଥିଲା ।

ପୋଲିସ ଛୁଆକୁ ଉଦ୍ଧାର କରିବା ସହ ବାପା ମାଆ ଓ ଶିଶୁକୁ କିଣି ଥିବା ମହିଳାକୁ ମଧ୍ୟ ଗିରଫ କରିଛି । ଶିଶୁକୁ ବିକ୍ରି କରିଥିବା ଅଭିଯୁକ୍ତ ବାପା ପୋଲିସ ଆଗରେ ମାନି ନେଇଛି । ଦୁଇ ଲକ୍ଷ ଟଙ୍କାରେ ଶିଶୁଟିକୁ ବିକ୍ରି କରିଥିଲେ ବାପାମାଆ । ଜୁଲାଇ ୨୪ ତାରିଖରେ ଘଟଣା ସଂପର୍କରେ ଜଣାପଡିଥିଲେ ମଧ୍ୟ ଏହା ଦେଢମାସ ତଳୁ ବିକ୍ରିବଟା ସରିଥିଲା । ମିଳିଥିବା ଦୁଇ ଲକ୍ଷ ଟଙ୍କାରେ ଆଇ ଫୋନ କିଣିବା ସହିତ ସେମାନେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ହନିମୁନ ମନାଇଛନ୍ତି ବୋଲି ଜଣେ ପଡୋଶୀ କହିଛନ୍ତି ।