ମତଦାନ ପୂର୍ବରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ

ନନ୍ଦିଗ୍ରାମ: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ବୁଧବାର ସିଆରପିସି ଧାରା ୧୪୪ ଲାଗୁକରିଛନ୍ତି । ଏହି ହାଇପ୍ରୋଫାଇଲ ସିଟରେ ଗୁରୁବାର (ଅପ୍ରେଲ ୧) ମତଦାନ ଆରମ୍ଭ ହେଉଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନନ୍ଦିଗ୍ରାମରେ ବିଶୃଙ୍ଖଳା କରିବା ଓ ଭୋଟରମାନଙ୍କୁ ଧମକାଇବାକୁ ବିଜେପି ବାହାର ରାଜ୍ୟରୁ ଗୁଣ୍ଡା ଆଣିଛି । ଏନେଇ ସେ ଆଜି ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହାସହ ଗତକାଲି ମମତା ଅଭିଯୋଗ କରିଥିଲେ ଯେ, ପଶ୍ଚିମ ମେଦିନପୁରର କିଛି ଗାଁରୁ ଲୋକମାନଙ୍କୁ ବିଜେପି ଉଠାଇ ନେଇ ଏକ ସ୍ଥାନରେ ଲୁଚାଇ ରଖିଛି । ଦିଦିଙ୍କ ଏଭଳି ଅଭିଯୋଗ ପରେ ନିର୍ବାଚନ କମିସନ ୧୪୪ଧାରା ଲାଗୁ କରିଥିବା ଜଣାପଡ଼ିଛି।

ଅଧିକାରୀଙ୍କ ସୂଚନା ମୁତାବକ ନିର୍ବାଚନ ଆୟୋଗ ଏକ ହେଲିକପ୍ଟର ମାଧ୍ୟମରେ ଅଞ୍ଚଳ ଉପରେ କଡା ନଜର ରଖିଛନ୍ତି । ଏହା ସହ ନିର୍ବାଚନ କ୍ଷେତ୍ରର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଯେଉଁ ଲୋକମାନେ ନନ୍ଦିଗ୍ରାମର ମତଦାତା ନୁହଁନ୍ତି ସେମାନଙ୍କୁ ନନ୍ଦିଗ୍ରମକୁ ପ୍ରବେଶ ନିଶେଧ କରାଯାଇଛି ।

୧୪୪ ଧାରା ଲାଗୁ ସହ ନନ୍ଦିଗ୍ରାମରେ ମତଦାନ ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨୨ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବା ସହ ୨୨ ଜଣ ତ୍ୱରିତ ପ୍ରତିକ୍ରିୟା ଦଳ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୫୫ ଟି ମତଦାନ କେନ୍ଦ୍ର ଥିବା ବେଳେ ୭୫ ପ୍ରତିଶତ କେନ୍ଦ୍ରରେ ୱେବକାଷ୍ଟିଂର ସୁବିଧା କରାଯାଇଛି ।

Leave a Reply