ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏନଡିଏ କଲା ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦିଲ୍ଲାରେ ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନଡ୍ଡା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବୋର୍ଡର ଅନ୍ୟ ସଦସ୍ୟ ସାମିଲ ଥିଲେ । ସୂଚନାଯୋଗ୍ୟା ଘୋଷଣା ପୂର୍ବରୁ ଶ୍ରୀ ଧନଖଡ଼ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ରାଜ୍ୟସଭା ଓ ଲୋକସଭା ସାଂସଦ ଭୋଟ ଦେଇଥାନ୍ତି । ଏକାକି ବିଜେପି ପାଖରେ ମ୍ୟାଜିକ ନମ୍ବରଠାରୁ ଅଧିକ ଭୋଟ ରହିଛି ।

ଜୁଲାଇ ୧୯ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି  । ସେହିପରି ଆଗାମୀ ମାସ ୬ ତାରିଖରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯକାଳ ୧୦ ଆଗଷ୍ଟରେ ଶେଷ ହେବାକୁ ଯାଉଛି । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ଏନଡିଏ ପକ୍ଷରୁ ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଜଶୱନ୍ତ ସିହ୍ନା ହୋଇଛନ୍ତି । ଆଗାମୀ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ୨୧ ତାରିଖରେ ଫଳାଫଲ ପ୍ରକାଶ ପାଇବ ।