ଧାମରା ଫେରିଲା ବେଙ୍ଗଲ୍ ଡଙ୍ଗା

ଭଦ୍ରକ: ବୁଲବୁଲ୍ ପ୍ରଭାବରେ ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଧାମରା ଓ ଚାନ୍ଦବାଲିରେ ସକାଳଠାରୁ ଝିପ୍ ଝିପ୍ ବର୍ଷା ଲାଗିରହିଛି । ଏଥିସହ ଭଦ୍ରକ ସହରରେ ମଧ୍ୟ କୋହଲା ପବନ ସାଙ୍ଗକୁ ବର୍ଷା ଲାଗିରହିଛି। ବାତ୍ୟା ‘ବୁଲବୁଲ୍’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ରହିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଇତି ମଧ୍ୟରେ ପଶ୍ଚିମବଙ୍ଗକୁ ଯାଉଥିବା ୩୨ଟି ମାଛଧରା ଡଙ୍ଗା ସମୁଦ୍ରର ଉଚ୍ଚ ଲହଡି ଯୋଗୁଁ ଯାଇ ନପାରି ଧାମରା ମୁହାଣକୁ ଫେରିଆସିଛନ୍ତି ।

ଆହୁରି ୧୨ଟି ଡଙ୍ଗା ସମୁଦ୍ର ମଧ୍ୟରେ ରହିଛି, ସେମାନେ ମଧ୍ୟ ଖୁବଶୀଘ୍ର ଧାମରା ଫେରିବେ ବୋଲି ସୂଚନା ମିଳିଛି । ଏସ୍.ଆର.ସିଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଆସିବା ପରେ ସେମାନଙ୍କ ଖାଇବା ଏବଂ ରହିବାର ସବୁ ବ୍ୟବସ୍ଥା କରାଯିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବୁଲବୁଲକୁ ନଜରରେ ରଖି ଜିଲ୍ଲାରେ ଦୁଇଟି ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ୍ ଟିମ ନିୟୋଜିତ ହେବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଗୋଟିଏ ଏନଡିଆରଏଫ୍ ଟିମକୁ ବାସୁଦେବପୁରରେ ନିୟୋଜିତ କରାଯାଇଥିବା ବେଳେ ଗୋଟିଏ ଓଡ୍ରାଫ ଟିମ କୁ ଧାମନଗର ଏବଂ ଅନ୍ୟ ଗୋଟିଏ ଟିମକୁ ଭଦ୍ରକରେ ନିୟୋଜିତ କରାଯିବା ନେଇ ସୂଚନା ମିଳିଛି । ')}

Leave a Reply

Your email address will not be published.