ପରେଡ୍‌ କାର୍ଯ୍ୟକ୍ରମରେ ନାଚିଲେ ଦିଦି, ହତବାକ୍‌ ଦେଖଣାହାରୀ

କୋଲକତା: ଲୋକଗୀତରେ ପାଦକୁ ପାଦ ମିଶାଇ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ କଳାକାରଙ୍କ ସହ ମନଖୋଲି ନାଚିଛନ୍ତି ମମତା ଦିଦି  । ସବୁ ପ୍ରୋଟୋକଲକୁ ପଛରେ ପକାଇ ତାଳରେ ତାଳ ମିଶାଇଛନ୍ତି ଦିଦି  । ନିଜ ସୁରକ୍ଷା କଥା ବି ଭୁଲି ଯାଇଛନ୍ତି ମମତା  ।

ଆଜି ରାଜ୍ୟସ୍ତରୀୟ ପରେଡରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା  । ଏହି କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳର ଅନେକ କଳାକାର ସାମିଲ ହୋଇଥିଲେ  । ଲୋକଗୀତରେ ନିଜ କଳା ପ୍ରଦର୍ଶନ କରିଥିଲେ ପୂର୍ବାଞ୍ଚଳ କଳାକାର  । ଯାହାକୁ ପ୍ରଶଂସା କରିବା ସହ ସେମାନଙ୍କର ଉତ୍ସାହ ବଢାଇଥିଲେ ଦିଦି  । କେବଳ ସେତିକି ନୁହେଁ ପାରମ୍ପାରିକ ନୃତ୍ୟଗୀତ ଦେଖି ନିଜକୁ ଅଟକାଇ ପାରିନଥିଲେ ମମତା  । କଳାକାରଙ୍କ ସହ ପାଦରେ ପାଦ ଛନ୍ଦି ନାଚିଥିଲେ ଦିଦି  । ଯାହା ଦେଖି ହତବାକ୍‌ ହୋଇଯାଇଥିଲେ ଦେଖଣାହାରୀ  ।

ପୂର୍ବରୁ ମଧ୍ୟ ଏପରି ଅନେକ କାର୍ଯ୍ୟକ୍ରମରେ ନାଚିଛନ୍ତି ମମତା ଦିଦି । ସେପଟେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମମତା ବାନାର୍ଜୀ  । ଟ୍ବିଟ କରି ଦିଦି କହିଛନ୍ତି ‘‘ସମସ୍ତ ଭାରତୀୟଙ୍କୁ ହୃଦୟରୁ ଶୁଭେଚ୍ଛା  । ଜୟ ହିନ୍ଦ୍‌  ।’’  ସ୍ବାଧନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ଆଜାଦିର ଅମୃତ ମହୋତ୍ସବ ପାଳୁଛି  । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ହର୍‌ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଛି  । ପ୍ରତି ଘରେ ତ୍ରିରଙ୍ଗା ଉଡିଥିବା ଦେଖିବାକୁ ମିଳିଛି  ।