ପରେଡ୍ କାର୍ଯ୍ୟକ୍ରମରେ ନାଚିଲେ ଦିଦି, ହତବାକ୍ ଦେଖଣାହାରୀ
କୋଲକତା: ଲୋକଗୀତରେ ପାଦକୁ ପାଦ ମିଶାଇ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ କଳାକାରଙ୍କ ସହ ମନଖୋଲି ନାଚିଛନ୍ତି ମମତା ଦିଦି । ସବୁ ପ୍ରୋଟୋକଲକୁ ପଛରେ ପକାଇ ତାଳରେ ତାଳ ମିଶାଇଛନ୍ତି ଦିଦି । ନିଜ ସୁରକ୍ଷା କଥା ବି ଭୁଲି ଯାଇଛନ୍ତି ମମତା ।
ଆଜି ରାଜ୍ୟସ୍ତରୀୟ ପରେଡରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା । ଏହି କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳର ଅନେକ କଳାକାର ସାମିଲ ହୋଇଥିଲେ । ଲୋକଗୀତରେ ନିଜ କଳା ପ୍ରଦର୍ଶନ କରିଥିଲେ ପୂର୍ବାଞ୍ଚଳ କଳାକାର । ଯାହାକୁ ପ୍ରଶଂସା କରିବା ସହ ସେମାନଙ୍କର ଉତ୍ସାହ ବଢାଇଥିଲେ ଦିଦି । କେବଳ ସେତିକି ନୁହେଁ ପାରମ୍ପାରିକ ନୃତ୍ୟଗୀତ ଦେଖି ନିଜକୁ ଅଟକାଇ ପାରିନଥିଲେ ମମତା । କଳାକାରଙ୍କ ସହ ପାଦରେ ପାଦ ଛନ୍ଦି ନାଚିଥିଲେ ଦିଦି । ଯାହା ଦେଖି ହତବାକ୍ ହୋଇଯାଇଥିଲେ ଦେଖଣାହାରୀ ।
ପୂର୍ବରୁ ମଧ୍ୟ ଏପରି ଅନେକ କାର୍ଯ୍ୟକ୍ରମରେ ନାଚିଛନ୍ତି ମମତା ଦିଦି । ସେପଟେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମମତା ବାନାର୍ଜୀ । ଟ୍ବିଟ କରି ଦିଦି କହିଛନ୍ତି ‘‘ସମସ୍ତ ଭାରତୀୟଙ୍କୁ ହୃଦୟରୁ ଶୁଭେଚ୍ଛା । ଜୟ ହିନ୍ଦ୍ ।’’ ସ୍ବାଧନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ଆଜାଦିର ଅମୃତ ମହୋତ୍ସବ ପାଳୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଛି । ପ୍ରତି ଘରେ ତ୍ରିରଙ୍ଗା ଉଡିଥିବା ଦେଖିବାକୁ ମିଳିଛି ।