ଆଜି ଆସିବ ନୂଆ ବିଲ୍, ୧୦ ଦିନରେ ଦୁଷ୍କର୍ମକାରୀ ହେବେ ଦୋଷୀ ସାବ୍ୟସ୍ତ

କୋଲକତା: ୧୦ ଦିନ ମଧ୍ୟରେ ଦୁଷ୍କର୍ମକାରୀ ହେବ ଦୋଷୀ ସାବ୍ୟସ୍ତ । ମୃତ୍ୟୁଦଣ୍ଡ ଦେବାର କରାଯିବ ବ୍ୟବସ୍ଥା । ବିଧାନସଭାରେ ଏଭଳି ବିଲ୍ ଆଣିବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ସରକାର । ଗତକାଲିଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନରେ ଆଜି ବିଲ ଆଗତ ହୋଇପାରେ । ଏହି ବିଲର ନାଁ ରହିଛି ଅପରାଜିତା ୱିମେନ୍ ଆଣ୍ଡ ଚାଇଲ୍ଡ (ପଶ୍ଚିମବଙ୍ଗ ଅପରାଧିକ ଆଇନ ସଂଶୋଧନ) । ବିଲ ଆଗତ ପରେ ରାଜ୍ୟପାଳଙ୍କ ଜରିଆରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ । ବିରୋଧୀ ବିଜେପି ଏହି ବିଲକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ତଥାପି ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆରଜି କର ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ଘଟଣା ପରେ ଏହି ବିଲ୍ ଆଣିବା ଲାଗି ରାଜ୍ଯ ସରକାର ନିଷ୍ପତ୍ତି ନେଇଛନ୍ତି।