ନିର୍ବାଚନ ମଇଦାନକୁ ଓହ୍ଲାଇବେନି କି ପ୍ରଚାର କରିବେନି, ବଡ଼ ଆଶା ରଖିଥିଲା ବିଜେପି !

Sourav Ganguly

କୋଲକାତା: ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ​​ଶାସନରେ ଥିବା ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଯେ, ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇପାରେ ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସୌରଭ ଗାଙ୍ଗୁଲି ଏବେ ସୁଦ୍ଧା ମନ ବଳାଇ ନାହାନ୍ତି ।  ସୌରଭ ବିଜେପି ନେତୃତ୍ୱଙ୍କୁ ସିଧା ସଳଖ କହିଛନ୍ତି ଯେ, ସେ ରାଜନୀତି ମଇଦାନକୁ ଓହ୍ଲାଇବାକୁ ଚାହୁଁନାହାନ୍ତି କିମ୍ବା ବିଧାନସଭା ନିର୍ବାଚନ ସମୟରେ ଦଳ ପାଇଁ ପ୍ରଚାର ମଧ୍ୟ କରିବେ ନାହିଁ । ତେବେ ଏବେ ସୁଦ୍ଧା ଗାଙ୍ଗୁଲିଙ୍କଠାରୁ ସିଧାସଳଖ କୌଣସି ବିବୃତ୍ତି ଆସିନାହିଁ ।

ଏକ ନିର୍ଦ୍ଦିଷ୍ଟ ଇଂରାଜୀ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ସୌରଭ ଗାଙ୍ଗୁଲି ଗତ ମାସରେ ବିଜେପିକୁ ସ୍ପଷ୍ଟ କରିଛନ୍ତି, ସେ ସକ୍ରିୟ ରାଜନୀତିରେ ଯୋଗଦେବାକୁ ଚାହୁଁନାହାଁନ୍ତି । ବିସିସିଆଇ ମୁଖ୍ୟ ଭାବରେ ସେ ତାଙ୍କ ଦାୟିତ୍ୱକୁ ନେଇ ଖୁସି ଅଛନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଗାଙ୍ଗୁଲି ମନା କରିବା ପରେ ଦଳ ତାଙ୍କ ଉପରେ ମତ ବଦଳାଇବା ପାଇଁ ଚାପ ପକାଇ ନାହିଁ । କିନ୍ତୁ ବିଜେପି ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ନେଇ ଅନେକ ବଡ଼ ଆଶା ଥିଲା ବୋଲି ସୂଚନା ମିଳିଛି ।

amit-shah-ganguly

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଅଭୁତ ପୂର୍ବ ପ୍ରଦର୍ଶନ, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ଚକିତ କରିିଦେଇଛି । ଏଥର ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଜୋରଦାର ପ୍ରୟାସ ଚାଲିଛି । ତେଣୁ ଦଳ ଏମିତି ଏକ ଚେହେରା ଖୋଜୁଛି, ଯିଏ ମମତା ବାନାର୍ଜୀଙ୍କୁ କଡ଼ା ଟକ୍କର ଦେଇପାରିବ । ଏଥିପାଇଁ ବିଜେପି ସୌରଭ ଗାଙ୍ଗୁଲିଙ୍କ ଉପରେ ବଡ଼ ଆଶା ରଖିଥିଲା । ଗତ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଗାଙ୍ଗୁଲି ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ପରେ ଗାଙ୍ଗୁଲି ନିଜେ ଏହି ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଥିଲେ ।

Sourabh Ganguli Mamata Banarjee

ରିପୋର୍ଟ ଅନୁଯାୟୀ, ସୌରଭ ଗାଙ୍ଗୁଲି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଭଲ ରାଜନୈତିକ ସମ୍ପର୍କ ରହିଛି । ଗାଙ୍ଗୁଲିଙ୍କୁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ସଭାପତି କରିବା ପଛରେ ମମତା ବାନାର୍ଜୀଙ୍କ ସମର୍ଥନ ଥିଲା ବୋଲି କୁହାଯାଏ । ଖାଲି ସେତିକି ନୁହେଁ, ଗାଙ୍ଗୁଲି ବିସିସିଆଇର ସଭାପତି ହେବା ପରେ ଅମିତ ଶାହାଙ୍କ ସହ ମଧ୍ୟ ତାଙ୍କର ଘନିଷ୍ଠତା ବଢ଼ିଛି । ଅକ୍ଟୋବର ୨୦୧୯ରେ, ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି କରିବାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରମୁଖ ଭୂମିକା ରହିଥିଲା । ସେବେଠାରୁ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

Leave a Reply