ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହେଲା ଅପରାଜିତା ମହିଳା ଓ ଶିଶୁ ବିଲ୍

1 min read

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହେଲା ଅପରାଜିତା ମହିଳା ଓ ଶିଶୁ ବିଲ୍ (ପଶ୍ଚିମବଙ୍ଗ ଅପରାଧ ଆଇନ ଓ ସଂଶୋଧନ)- ୨୦୨୪। ବିଲରେ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଅପରାଧ ଲାଗି  ମୃତ୍ଯୁଦଣ୍ଡ ବ୍ଯବସ୍ଥା ରହିଛି। ମହିଳା ଓ ଶିଶୁଙ୍କୁ ଅଧିକ ସୁରକ୍ଷା ଦେବା ତଥା ଦୁଷ୍କର୍ମ ଓ ଯୌନ ସମ୍ପର୍କିତ ଅପରାଧ ରୋକିବା ଉଦ୍ଦେଶ୍ଯରେ ଅଣାଯାଇଛି ବିଲ୍। ଆଜି ରାଜ୍ଯ ସରକାର ଏହି ବିଲ୍ ଆଣିବା ପରେ ବିଭିନ୍ନ ଦଳ ପକ୍ଷରୁ କରାଯାଇଥିଲା ଆଲୋଚନା। ପରେ ବିଲ୍ ଗୃହୀତ ହୋଇଥିଲା। ଏହି ବିଲକୁ ରାଜ୍ଯପାଳଙ୍କ ନିକଟକୁ ପଠାଯିବ। ବିଲ୍ ଗୃହୀତ ହେବା ଦ୍ବାରା ପଶ୍ଚିମବଙ୍ଗ ହୋଇଛି ପ୍ରଥମ ରାଜ୍ଯ ଯିଏ କି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା ସମ୍ପର୍କିତ କେନ୍ଦ୍ରୀୟ ଆଇନରେ ପରିବର୍ତ୍ତନ ଆଣିଛି। ଏହି ବିଲକୁ ଐତିହାସିକ ଓ ମଡେଲ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା ଆରଜି କର ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଏହି ଧରଣର ବିଲ୍ ଆଣିବାକୁ ଘୋଷଣା କରିଥିଲେ ମମତା। ଏହି ବିଲ୍ ଯୋଗୁ କେନ୍ଦ୍ରୀୟ ଆଇନରେ ରହିଥିବା କେତେକ ଗଳିଆବାଟକୁ ବନ୍ଦ କରିଦିଆଯାଇପାରିବ। ମାନବିକତା ଓ ସାମାଜିକ ସଂସ୍କାର ବିରୋଧରେ ଦୁଷ୍କର୍ମ ଏକ ଅଭିଶାପ ବୋଲି କହିଛନ୍ତି ମମତା। ଏହି ବିଲକୁ ସମର୍ଥନ କରିଥିଲା ବିଜେପି। ବିଲ୍ ଆଗତ କରିବା ଲାଗି ଗତ ସୋମବାରଠାରୁ ବସିଥିଲା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ମମତା କହିଛନ୍ତି ଉତ୍ତରପ୍ରଦେଶ ଓ ଗୁଜରାଟରେ ମହିଳାଙ୍କ ବିରୋଧରେ ଅପରାଧ ହାର ଅଧିକ ରହିଛି। ହେଲେ ପଶ୍ଚିମବଙ୍ଗରେ ମହିଳାମାନେ ଏଣିକି ନ୍ଯାୟ ପାଇପାରିବେ।