ରାଜ୍ୟରେ ପୁଞ୍ଜିନିବେଶ କରିବ ୱେଲସ୍ପୁନ ଗ୍ରୁପ, ନିଯୁକ୍ତି ପାଇବେ ୨୦ ହଜାରରୁ ଅଧିକ ଯୁବପୀଢୀ

1 min read

ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ କରିବ ୱେଲସ୍ପୁନ ଗ୍ରୁପ । କଟକ ଚୌଦ୍ବାରରେ ୱେଲସ୍ପୁନ ଗ୍ରୁପ ପ୍ରତିଷ୍ଠା କରିବ ସମନ୍ବିତ ଟେକ୍ସଟାଇଲ କାରଖାନା । ୩ହଜାର ୫୦ କୋଟି ଟଙ୍କାର ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ମଂଜୁରୀ ମିଳିଛି । ଏହି ପ୍ରକଳ୍ପ ଦ୍ବାରା ୨୦ହଜାର ୨୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହ ୱେଲସ୍ପୁନ କର୍ପୋରେସନ ପକ୍ଷରୁ ସମ୍ବଲପୁରରେ ୩ହଜାର ୧୩୭ କୋଟି ଟଙ୍କା ବ୍ୟୟରେ ପାଇପ କୋଟିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସିଧାସଳଖ ଭାବେ ୩ହଜାର ୮୩୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କେନ୍ଦ୍ରାପଡାଠାରେ ମଧ୍ୟ ୱେଲସ୍ପୁନ ନ୍ୟୁ ଏନର୍ଜି ପକ୍ଷରୁ ୦.୭୦ ନିୟୁତ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଗ୍ରୀନ ଆମୋନିଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ।

କେନ୍ଦ୍ରାପଡାରେ ଏଥିପାଇଁ ୧୩ହଜାର ୮୬୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ଏବଂ ହଜାରେ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ୱେଲସ୍ପୁନ ଗ୍ରୁପ ସହ ଆଉ ୯ଟି ବୃହତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ମଂଜୁରୀ ଦେଇଛି । ଆଜି ମଂଜୁରୀ ପାଇଥିବା ୧୨ଟି ପ୍ରକଳ୍ପ ଦ୍ବାରା ରାଜ୍ୟରେ ୮୪ ହଜାର ୯୧୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ଏହଦ୍ବାରା ୪୨ ହଜାର ୨୮୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିଶେଷ କରି ଟେକ୍ସଟାଇଲ ଓ ପୋଷାକ, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଇସ୍ପାତ, ଶକ୍ତି ଓ ଅକ୍ଷୟ ଶକ୍ତି, ରସାୟନ ଓ ପେଟ୍ରୋ କେମିକାଲ ଡାଉନଷ୍ଟ୍ରିମ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ । ଗଂଜାମର ଗୋପାଳପୁରଠାରେ ସେମ୍ବ କର୍ପୋରେସନ ହାଇଡ୍ରୋଜେନ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା ହେବ ୦.୭୨ ନିୟୁତ ମେଟ୍ରିକ ଗ୍ରୀନ ଆମୋନିଆ ପ୍ଲାଣ୍ଟ ।

ଏଥିପାଇଁ ୧୩ ହଜାର କୋଟିର ପୁଞ୍ଜିନିବେଶ କରାଯିବ । ରିନ୍ୟୁ ଇ-ଫୁଏଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମାଲକାନଗିରି ଓ ରାୟଗଡାରେ ପ୍ରତିଷ୍ଠା ହେବ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ମିଥାନଲ ପ୍ଲାଣ୍ଟ । ଟାଟା ଷ୍ଟିଲ ପକ୍ଷରୁ ଢେଙ୍କାନାଳରେ ୧୦ ହଜାର ୩୫୧ କୋଟି ଟଙ୍କା ପୁଞ୍ଜିନିବେଶରେ ପ୍ରତିଷ୍ଠା ହେବ କଏଲ ପ୍ଲାଣ୍ଟ । ସେହିଭଳି ଝାରସୁଗୁଡାରେ ଓଡିଶା ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରି ପକ୍ଷରୁ ପ୍ରତିଷ୍ଠା ହେବ ୨ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ, ୨୪୦ ମେଗାୱାଟ କ୍ଷମତା ସମ୍ପନ୍ନ ନିଜସ୍ବ ପାୱାର ପ୍ଲାଣ୍ଟ ଓ ଏକ ନିୟୁତ କ୍ଷମତା ସମ୍ପନ୍ନ ସିମେଣ୍ଟ ଗ୍ରାଇଣ୍ଡିଂ ପ୍ଲାଣ୍ଟ । ବିଏମଡବ୍ଲୁ ଇଣ୍ଡଷ୍ଟ୍ରିଜ ପକ୍ଷରୁ କଳିଙ୍ଗନଗରରେ ପ୍ରତିଷ୍ଠା ହେବ ୧୦ ଲକ୍ଷ ନିୟୁତ ଟନ କ୍ଷମତା ବିଶିଷ୍ଟ କଏଲ ପ୍ଲାଣ୍ଟ । ଏନଟିପିସି ପକ୍ଷରୁ ସୁନ୍ଦରଗଡରେ ପ୍ରତିଷ୍ଠା ହେବ ୮୦୦ ମେଗା ୱାଟ କ୍ଷମତା ସମ୍ପନ୍ନ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ । କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଗଂଜାମର ଗୋପାଳପୁର ଠାରେ ତରଳ ଆମୋନିଆ ସଂରକ୍ଷଣ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହିସବୁ ପ୍ରକଳ୍ପକୁ ଆଜି ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ମଂଜୁରୀ ମିଳିଛି ।