କମିଶନରେଟ୍ ପୋଲିସ ପକ୍ଷରୁ କଟକଣା କଡ଼ାକଡ଼ି: କିନ୍ତୁ ବେଲଗାମ୍‌ ଅମାନିଆ

weekend shutdown in capital

ଭୁବନେଶ୍ୱର: ସାପ୍ତାହିକ ଦୁଇ ଦିନିଆ ସଟଡାଉନ୍‌ର ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ସ୍ମାର୍ଟସିଟିରେ ସଟଡାଉନ୍‌ର ଅଧିକ ପ୍ରଭାବ ପଡିଥିବା ବେଳେ ଅପରପକ୍ଷେ ରାଜରାସ୍ତାରେ ଦେଖିବାକୁ ମିଳିଛନ୍ତି ଅନେକ ଅମାନିଆ । ସେପଟେ ସଟଡାଉନ୍‌ର ସୁଯୋଗ ନେଇ ବିଶୋଧନ କରାଯାଇଛି ପୋଲିସ ସେବା ଭବନକୁ ।

ଜୁଲାଇ ମାସର ଦ୍ବିତୀୟ ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ଦୋକାନ ବଜାର ସବୁ ବନ୍ଦ । ରାସ୍ତାଘାଟ ଶୁନ୍‌ଶାନ୍‌ । ଖାଁ ଖାଁ ଲାଗୁଛି ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ବର । ପୋଲିସ ସେବା ଭବନକୁ କର୍ମଚାରୀ ଓ ଜନସାଧାରଣଙ୍କ ପ୍ରବେଶ ଉପରେ ଲଗାଯାଇଛି କଟକଣା ।

ସକାଳୁ ସକାଳୁ କଳ୍ପନା ଛକ ସ୍ଥିତ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡି ଓ କର୍ମଚାରୀ ବାହାରି ପହଁଚିଥିଲେ କମିଶନରେଟ୍‌ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ । ସଟ୍‌ଡାଉନ୍‌ର ସୁଯୋଗ ନେଇ ପୋଲିସ ସେବା ଭବନକୁ କରାଯାଇଛି ସମ୍ପୂର୍ଣ୍ଣ ବିଶୋଧନ । ସେପଟେ ଭୁବନେଶ୍ବର ଷ୍ଟେସନରେ ପିଲାଛୁଆଙ୍କୁ ସାଙ୍ଗରେ ଧରି ହଇରାଣ ହରକତ ହୋଇଛନ୍ତି ପ୍ରବାସୀ ।

ସେପଟେ ସଟ୍‌ଡାଉନ୍‌ ଯୋଗୁଁ ଭୁବନେଶ୍ବରର ପ୍ରମୁଖ ଛକମାନଙ୍କରେ ନିୟୋଜିତ ଥିଲେ ପୋଲିସ କର୍ମଚାରୀ । ତନତନ କରି ଯାଞ୍ଚ କରୁଥିଲେ ରାସ୍ତାକୁ ଆସିଥିବା ଲୋକଙ୍କ ପରିଚୟ ପତ୍ର ଓ ପାସ୍‌ । ତଥାପି ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିଲା ସ୍ମାର୍ଟସିଟିର ଅମାନିଆଙ୍କୁ ।

କିଏ ସାଇକେଲରେ ସପରିବାରକୁ ଧରି ବୁଲୁଛି ତ ଆଉ କିଏ ଗାଡିରେ କଟକଣାକୁ ଖୋଲାଖୋଲି ଉଲଂଘନ କରି ୮ ଜଣଙ୍କୁ ଧରି ବୁଲୁଛି । ସବୁଠାରୁ ବଡ କଥା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ପିଣ୍ଡଦାନ କରିବାକୁ ବାହାରିଥିବା ଜଣେ ବ୍ୟକ୍ତିଙ୍କ ମୁହଁ ଟାଣ ଦେଖିବାର କଥା  । ଦିନକୁ ଦିନ ଭୁବନେଶ୍ବରର ସ୍ଥିତି ସଙ୍ଗୀନ୍‌ ହେଉଥିବା ବେଳେ ଅମାନିଆଙ୍କ ଏଭଳି ମନମାନି ସମସ୍ତଙ୍କୁ ବିଚଳିତ କରିଛି ।.

 

Leave a Reply