ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ
ଭୁବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି । ରାଜଧାନୀ ଭୁବନେଶ୍ୱରେ ଦୈନିକ ସଂକ୍ରମଣ ୧ ହଜାର ଟପିଥିବା ବେଳେ ରାଜ୍ୟରେ ୮ ହଜାର ଉପରେ ରହିଛି । ସଂକ୍ରମଣକୁ ଚେକ୍ ଦେବାକୁ ସରକାର ଲାଗୁ କରିଛନ୍ତି ରାତ୍ରୀକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ୍ । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । ଶନିବାର ଓ ରବିବାର ୱିକେଣ୍ଡ ସଟଡାଉନ୍ ରହୁଥିବା ବେଳେ ସକାଳ ୫ଟାରୁ ୬ଟା ମର୍ଣ୍ଣିଂ ୱାକ୍ ପାଇଁ ରିହାତି ଦିଆଯାଇଛି ।
ୱିକେଣ୍ଡ ସଟଡାଉନ୍ ସମୟରେ ଟିକାକରଣ ବନ୍ଦ କରାଯାଇଛି । ଏହି ଦୁଇଦିନ ଭ୍ୟାକିନେସନ ସେଣ୍ଟରକୁ ସାନିଟାଇଜ୍ କରାଯିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ଅନୁମତି ମିଳିବ । ଏଥିପାଇଁ ପାସର କୌଣସି ବ୍ୟବସ୍ଥା ନାହିଁ । ଯାଞ୍ଚ ବେଳେ କାର୍ଯ୍ୟ କରୁଥିବା ବିଭାଗ କିମ୍ବା ଅନୁଷ୍ଠାନର ପରିଚୟପତ୍ର ଦେଖାଇବାକୁ ପଡ଼ିବ ।
କାହାକୁ ଅନୁମତି ?
ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।
ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।
ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।
ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।
ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।
ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।
ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।
ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।
କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।
ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।
ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।
ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।
ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।
ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।
କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।
ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।