ଟଙ୍କା ପାଇଁ ନକଲି ବର ଏବଂ କନ୍ୟା ସାଜି ବିବାହ କଲେ ପୁରୁଷ

ଲକ୍ଷ୍ମୌ: ଆପଣମାନେ ବ୍ଯାଙ୍କ ଫ୍ରଡ ଅନ୍ଯାନ୍ଯ ଜାଲିଆତି ସମ୍ପର୍କରେ ଶୁଣିଥିବେ। ହେଲେ ବିବାହ କ୍ଷେତ୍ରରେ ଫ୍ରଡ ଆପଣଙ୍କୁ ଚମକାଇଦେବ। ଏହିପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଏହି ଘଟଣାରେ ୨ ସରକାରୀ କର୍ମଚାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏକ ଗଣବିବାହ ଉତ୍ସବରେ କେତେକ କନ୍ଯା ପରସ୍ପରକୁ ଫୁଲମାଳ ଦେଉଥିବାବେଳେ କେତେକ ପୁରୁଷ ନିଜ ମୁହଁ ଲୁଚାଇ ବର ବେଶ ଧାରଣ କରିଥିଲେ। ଗତ ଜାନୁଆରୀ ୨୫ରେ ବାଲିଆ ଜିଲ୍ଲାରେ ଅନୁଷ୍ଠିତ ଗଣବିବାହରେ ୫୬୮ ଦମ୍ପତି ବିବାହ କରିଥିଲେ। ତେବେ କେତେକ ଲୋକଙ୍କୁ ୫୦୦ରୁ ୨୦୦୦ ଲେଖାଏଁ ଟଙ୍କା ଦିଆଯାଇ ବର କନ୍ଯା ହେବା ଲାଗି କୁହାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା। ସେମାନେ ମିଛିମିଛିକା ବର କନ୍ଯା ସାଜିଥିଲେ। ସରକାରୀ ୱେବସାଇଟ ଅନୁସାରେ ରାଜ୍ଯରେ ବିବାହ କ୍ଷେତ୍ରରେ ମହିଳାଙ୍କୁ ୫୧ ହଜାର ଟଙ୍କା ଦିଆଯାଇଥାଏ। ସେଥିରୁ ୩୫ ହଜାର ଟଙ୍କା ଝିଅଙ୍କୁ ଦିଆଯାଇଥାଏ। ବିବାହ ସାମଗ୍ରୀ କିଣିବା ଲାଗି ୧୦ ହଜାର ଓ ଉତ୍ସବ ଲାଗି ୬ହଜାର ଟଙ୍କା ଦିଆଯାଇଥାଏ। ଥରେ ଏହି ଟଙ୍କା ମିଳିଲେ ନକଲି ବରକନ୍ଯାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଥାଏ। ଏହି ଘଟଣା ପ୍ରକାଶ ପାଇବା ପରେ ତଦନ୍ତ ଲାଗି ୩ ଜଣିଆ କମିଟି ଗଠିତ ହୋଇଛି ।