୩ ଦିନ ପରେ ନିର୍ଧୁମ ବର୍ଷା

ଭୁବନେଶ୍ବର: ଆହୁରି ୩ ରୁ ୪ ଦିନ ସିଝାଇବ ଖରା । ତା’ପରେ ଦୁଇ ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା । ଏହାପରେ ଭିଜିବ ପୂରା ଓଡ଼ିଶା । ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଛତିଶଗଡ ମୁହାଁ ହେବ । ପ୍ରଭାବରେ ମହାନଦୀର ଉପର ଏବଂ ତଳମୁଣ୍ଡରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ପ୍ରଥମଟି ୨ରୁ ୮ ତାରିଖ ଏବଂ ଦ୍ବିତୀୟଟି ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି । ୫ କିମ୍ବା ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଭାବରେ ୬ ରୁ ୭ ତାରିଖ ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗରମ ସହ ଗୁଳୁଗୁଳି । ଦୁର୍ବଳ ମୌସୁମୀ ସହ ମେଘମୁକ୍ତ ଆକାଶ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି । ୩୬.୭ ଡିଗ୍ରୀ ସହ ପୁଣି ଆଜି ଚାନ୍ଦବାଲି ରାଜ୍ୟର ଉତ୍ତ୍ୟକ୍ତ ସହର ହୋଇଛି । ଉଚ୍ଚ ତାପମାତ୍ରା ଓ ବାୟୁମଣ୍ଡଳରେ ଆର୍ଦ୍ରତା ୬୫%ରୁ ଅଧିକ ରହୁଥିବାରୁ ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ଅଧିକ ଅନୁଭବ ହେଉଛି । ଜଳୀୟବାଷ୍ପର ପରିମାଣ ଅଧିକ ରହିବା ଏବଂ ତାତି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ବଜ୍ରପାତ ଜନିତ ବର୍ଷା ପାଇଁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଚଳିତ ମୌସୁମୀ ସିଜିନ୍ ୧ ଜୁନରୁ ୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୬% ଅଧିକ ବର୍ଷା ରେକର୍ଡ ହୋଇଛି । ୬ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।