ଟ୍ରପ୍‌ଲାଇନ୍ ପ୍ରଭାବରେ ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା, ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର: ଅବପାତର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ସେପଟେ ଆଜି  ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ରାଜ୍ୟର ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ତେଣୁ ସକାଳ ୮ଟା ୩୦ ଯାଏଁ  ସତର୍କ ରହିବାକୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଟ୍ୱିନ୍ ସିଟିରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି ।

ଦିନ ସାଢେ ୧୨ଟା  ଯାଏଁ ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗୋଟିଏ ଦୁଇଟି ସ୍ଥାନରେ ୨ରୁ ୩ ସେଣ୍ଟି ମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ତେବେ ବର୍ଷା ଯୋଗୁଁ ରାସ୍ତା ଘାଟ ଅନ୍ଧାରୁଆ ଦେଖାଉଛି । ତେଣୁ ଧିରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି । ଟ୍ରାଫିକ୍ ଜାମ୍ ଆଶଙ୍କା ଥିବାରୁ ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ୱାସଙ୍କ କହିବାନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ସମେତ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ସାମାନ୍ୟ କମ୍‌ ରହିଛି। ଉପକୂଳ ଓଡ଼ିଶାରେ ବର୍ଷା ହୋଇଛି। ତେଲେଙ୍ଗାନା ଉପରେ ଥିବା ଅବପାତର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତେବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରଠାରୁ ପୂର୍ବକେନ୍ଦ୍ରୀୟ ଆରବ ସାଗର ପର୍ଯ୍ୟନ୍ତ ଏକ ଟ୍ରପ୍‌ଲାଇନ୍‌ ଯାଇଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କ ଲାଗି କୌଣସି ସତର୍କ ସୂଚନା ନାହିଁ।

Leave a Reply