ବର୍ଷାରେ ଲାଗିଲା ବ୍ରେକ୍, ବଦଳିଲା ପାଗ କାଲିଠୁ ଉପରମୁହାଁ ହେବ ପାରଦ

1 min read

ଭୁବନେଶ୍ୱର: ରାଜ୍ଯରେ ବଦଳିଲା ପାଗ। ଦୁଇଦିନର ଲଗାଣ ବର୍ଷାରେ ବ୍ରେକ୍ ଲାଗି ଆଜିଠୁ ଫିଟିଲା ପାଗ। କାଲିଠୁ ଉପରମୁହାଁ ହେବ ପାରଦ। ସାରା ରାଜ୍ଯରେ ବଢିବ ତାପମାତ୍ରା। କାଲିଠୁ ୨୪ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୮ ରୁ ୧୦ ଡିଗ୍ରୀ ତାତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଅଧିକାଂଶ ସହରର ତାପମାତ୍ରା ୪୦ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବ।

ଦୁଇଦିନର ଲଗାଣ ବର୍ଷା ପରେ ଆଜି ଖରା ଦେଖିବାକୁ ମିଳିଛି। ଆଜି ସକାଳୁ ପାଗରେ ପରିବର୍ତ୍ତନ ସହ ଟୁଇନସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଟୁଇନସିଟି କଟକ-ଭୁବନେଶ୍ବରରେ ପ୍ରବଳ ଥଣ୍ତା ସହ ଘନ କୁହୁଡ଼ି ଦେଖିବାକୁ ମିଳିିଛି। କୁହୁଡ଼ି ଯୋଗୁ ଦୃଶ୍ଯମାନ ଦୂରତା ୨୦ ମିଟର ରହିଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ଖରା ବଢିବା ସହିତ ଦିନର ତାପମାତ୍ରା ବୃଦ୍ଧି ପାଇଛି।