ଅବପାତର ରୂପ ନେଇଛି ଲଘୁଚାପ, ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି 

1 min read

ଭୁବନେଶ୍ୱର: ଅବପାତ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି  କରାଯାଇଛି । ସେହିଭଳି ୬ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସକ୍ରିୟ ରହିଛି । ଏହା ପ୍ରଭାବରେ ୧୨ଟି ଜିଲ୍ଲା ଯଥା- ଝାରସୁଗୁଡ଼ା ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, ସମ୍ବଲପୁର, ନୂଆପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧରେ ପ୍ରବଳ ବର୍ଷା ହେବ ।

ସେହିଭଳି ୬ ଜିଲ୍ଲା ମୟୂରଭଞ୍ଜ, ଅନୁଗୁଳ, କୋରାପୁଟ, ଗଜପତି, ରାୟଗଡ଼ା ଏବଂ ନବରଙ୍ଗପୁରରେ  ମଧ୍ୟ ପ୍ରଭାବ ରହିବ । ମିଳିଥିବା ସୂଚନା ମୁତାବକ କାଲିଠାରୁ ବର୍ଷା କମିବ । କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ ପବନର ବେଗ ୪୦ ରୁ ୫୦ ଏବଂ ସର୍ବାଧିକ ୬୦ କିଲୋମିଟର ରହିବ ।

ଆଗାମୀ ୧୨ ଘଣ୍ଟା ପାଇଁ ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର, ମୟୂଭଞ୍ଜରେ ୩୦ ରୁ ୪୦ କିଲୋମିଟର ଏବଂ ସର୍ବାଧିକ ୫୦ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଗତ 24 ଘଣ୍ଟାରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ 226 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।