ରାଜ୍ୟର କିଛି ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ପ୍ରଚଣ୍ଡ ଖରାରୁ ଉପକୂଳକୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କିନ୍ତୁ ପଶ୍ଚିମରେ ଜାରି ରହିଛି ଅସହ୍ୟ ତାତି। ଗତକାଲିଠୁ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ସୁଧାର ଆସିଛି । ବହୁଥିବା ସାମୁଦ୍ରିକ ପବନ ପ୍ରଭାବରେ ଉପକୂଳ ଆକାଶ ମେଘାଚ୍ଛନ ରହିଛି। ଅଧିକାଂଶ ଜିଲ୍ଲାରେ ଦେଖାଦେଇଛି କାଳବୈଶାଖୀ ପ୍ରଭାବ। ଘଡଘଡି ବିଜୁଳି ସହ ବର୍ଷା ସହିତ ପାଗକୁ ଥଣ୍ଡା କରିଛି ପବନ।
କାଳବୈଶାଖୀ ପାଇଁ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ଏବେବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଲଗାତାର ୪୦ଡିଗ୍ରୀ ଉପରେ ରହିଛି ଏକାଧିକ ସହର । ଏଭଳି ସ୍ଥିତି ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ଘନଉଛି ବାତ୍ୟା ବିପଦ। ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବା ସହ ୭ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ପରେ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ୧୦ ତାରିଖ ବେଳକୁ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।