କାଲି ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସକ୍ରିୟ ଥିବା ଗୁରୁଚାପ ବଳୟ ଏବଂ ଦକ୍ଷିଣ ଛତିଶଗଡ ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି କୋହଲା ପାଗ। ବର୍ତ୍ତମାନ ଦକ୍ଷିଣ ଓଡ଼ିଶାରୁ ଆନ୍ଧ୍ର ମଧ୍ୟ ଦେଇ ସୃଷ୍ଟି ହୋଇଥିବା ନିମ୍ନଚାପରେଖା ପ୍ରଭାବରେ ଆସନ୍ତା କାଲି ପର୍ଯ୍ୟନ୍ତ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା ହେବା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଖୋର୍ଦ୍ଧା , କଟକ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ପରେ ଗୁରୁଚାପ ବଳୟ ପ୍ରଭାବ କମିବା ସହ ପାଗରେ ପରିବର୍ତ୍ତନ ହେବ। ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ସେପଟେ ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥାଣ୍ଡା ଶୁଷ୍କ ପବନ ପ୍ରବେଶ କରିବ। ପ୍ରଭାବରେ ରାତିର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳରେ ସ୍ବାଭାବିକ ଶୀତ ଅନୁଭୁତ ହେବ।
ସେପଟେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଅଧିକ ଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ।ଏଥିପାଇଁ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। କଟକ, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର , ବରଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ ବଲାଙ୍ଗୀରରେ ଘନ କୁହୁଡି ସର୍ତକତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ରୁ ୨୦୦ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ରହିବ। ସେଥିପାଇଁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସର୍ତକତା ପରେ ପୋଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସଆରସି। ଘନ କୁହୁଡି ସମୟରେ ଟ୍ରାଫିକ ପରିଚାଳନାକୁ ଗୁରୁତ୍ଵ ଦେବା ସହ ଡ୍ରାଇଭର ମାନଙ୍କୁ ସଚେତନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।