ଆଇଏମଡି ପକ୍ଷରୁ ସତର୍କତା ଜାରି, ମେ ମାସରେ ଆସିପାରେ ହିଟଓ୍ବେଭ

1 min read

ଭୁବନେଶ୍ୱର: ମେ ମାସରେ ଆସିପାରେ ହିଟଓ୍ବେଭ । ଏନେଇ ଆଇଏମଡି ପକ୍ଷରୁ ସତର୍କତା ଜାରି କରାଯାଇଛି । ତେବେ ମେ ମାସରେ ବି ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି- ବିଶେଷ କରି ଉପକୂଳ ଓଡ଼ିଶାରେ ହିଟଓ୍ବେଭ ଆସିପାରେ । ସେହିପରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ବି ହିଟଓ୍ବେଭ ଆସିପାରେ । ମେ ମାସରେ ସାଧାରଣ ତାପମାତ୍ରାଠାରୁ ଅଧିକ ହେବାର ସମ୍ଭାବନା ରହିଛି । ମେ ମାସରେ କାଳବୈଶାଖୀ ହେବା ସହ ହିଟଓ୍ବେଭ ରହିବା ସମ୍ଭାବନା ରହିଛି ।

ଆସନ୍ତା ସପ୍ତାହରେ ତାପମାତ୍ରା ବଢିବା ସମ୍ଭାବନା ରହିଛି । ମେ ୧୨ରୁ ୧୮ ତାରିଖ ମଧ୍ୟରେ ହିଟ ଓ୍ବେଭ ଆସିପାରେ ବୋଲି ସେ କହିଛନ୍ତି । ସେପଟେ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ମିଡିଆ ସର୍ଭେ ଆନାଲିସିସ । ପାଣିପାଗ ସମ୍ପର୍କିତ ବୁଲେଟିନ ପ୍ରସ୍ତୁତି ଓ ଏହାର ପ୍ରସାର ସମ୍ପର୍କରେ ହୋଇଛି ଆଲୋଚନା । କୌଣସି ପ୍ରକାର ପାଣିପାଗ ସମ୍ପର୍କିତ ସୂଚନାର ପ୍ରସାର ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଆସୁଛି । ଏକ୍ଷେତ୍ରରେ କମ୍ୟୁନିଟି ରେଡିଓ ସମେତ ବିଭିନ୍ନ କାରିଗରିର ଉପଯୋଗ କରାଯାଉଛି ।

ପାଣିପାଗ ସମ୍ପର୍କିତ ଫୋରକାଷ୍ଟିଂର ଗୁରୁତ୍ବ ସର୍ବଦା ରହିଛି । ଭାରତୀୟ ପାଣିପାଗ ବିଭାଗ ନିକରଟେ ଅନେକ ପ୍ରକାର ତଥ୍ୟ ରହିଛି । ପାଣିପାଗ ଓ ଜଳବାୟୁ ସମ୍ପର୍କରେ ଆୟୋଜିତ ମିଡିଆ ସମ୍ମିଳନୀରେ ଯୋଗ ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି- ଆଇଏମଡି ପକ୍ଷରୁ ପ୍ରସାରିତ ହେଉଥିବା ବିଭିନ୍ନ ସୂଚନାର କିପରି ଅଧିକ ଉପଯୋଗୀ ହୋଇପାରିବା ସେ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ନେଇ ଆଲୋଚନା ହୋଇଛି । ଲୋକମାନେ ଯେପରି ସରଳ ଭାବେ ସମସ୍ତ ସୂଚନା ପାଇପାରିବେ ଏବଂ ଜନଜୀବନର ସୁରକ୍ଷା ହୋଇପାରିବ ସେଥିଲାଗି ଗୁରୁତ୍ବ ଦିଆଯାଇଛି ।