ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

1 min read

ଭୁବନେସ୍ୱର: ଦୁଇ ଦୁଇଟି ଲଘୁଚାପର ଦୁର୍ଦ୍ଦଶା ସରିନି । ଏଭଳି ସମୟରେ ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତି ୨୪ ଘଣ୍ଟାରେ ଏହା ଘନୀଭୂତ ହେବ । ପ୍ରଭାବରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୩ ତାରିଖରେ ବାଲେଶ୍ବର, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୪ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବ । ଏହିଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସହ ୧୭ ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସେହିପରି ୨୫ ତାରିଖରେ ବଜ୍ରପାତ ସହିତ ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ସତର୍କ କରାଯାଇଛି । ଲଘୁଚାପ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି ।

ମିଆଁମାର ଏବଂ ଏହାର ଆଖପାଖରେ ମେଘ ଖଣ୍ଡ ଏକାଠି ହେଉଥିବାରୁ ଲଘୁଚାପ ସମ୍ଭାବନା ଅଧିକ ରହିଛି । ୧ ଜୁନ ୧୦୨୨ ରୁ ୨୧ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମିଲିମିଟର ତୁଳନାରେ ୧୫% ଅଧିକ ରହିଛି । ବୌଦ୍ଧ ୬୨%, କନ୍ଧମାଳରେ ୭୩% ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡରେ ୪୦ପ୍ରତିଶତ, ଢେଙ୍କାନାଳ ୨୯%, ଜଗତସିଂହପୁର ୨୧%, ନୟାଗଡ ୨୨%, ନୂଆପଡା ୨୦%, କୋରାପୁଟ ୩୦%, ରାୟଗଡା ୩୩% ଏବଂ ଗଜପତିରେ ୨୦ପ୍ରତିଶତ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଅବଶିଷ୍ଟ ୨୦ ଜିଲ୍ଲାରେ ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି l