୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ । ୨୧ ତାରିଖରୁ ବଦଳିବ ପାଗ । ଆକାଶ ମେଘାଛନ୍ନ ରହିବା ସହ କିଛି ଜିଲ୍ଲାରେ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ପରିଣତ ହେବ ।

ପ୍ରଭାବରେ ୨୧ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖ ସକାଳ ସାଢେ ଆଠଟାରୁ ୨୨ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ଘଡିଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।

ବର୍ଷା ପରେ ଶୀତ କମିବା ସହ ରାତ୍ରିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା । କୋରାପୁଟର ଶିମିଳିଗୁଡାରେ ସର୍ବନିମ୍ନ ୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳର ଜି.ଉଦୟଗିରିରେ ୮.୬ ଡିଗ୍ରୀ, କୋରାପୁଟରେ ୧୦.୫ଡିଗ୍ରୀ, ଫୁଲବାଣୀରେ ୧୦.୫ ଡିଗ୍ରୀ, ଦାରିଙ୍ଗବାଡିରେ ୧୧.୫ ଡିଗ୍ରୀ, ଭବାନୀପାଟଣାରେ ୧୧.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି