ଆଜୁଠୁ ବଢିପାରେ ତାପମାତ୍ରା, ଉପକୂଳ ଓ ଉତ୍ତର ଓଡ଼ିଶାରେ ଶୁଖିଲା ରହିବ ପାଗ

ଭୁବନେଶ୍ବର : ଦିନରେ ଖରା, ରାତିରେ ଶୀତ। ଦୁଇ ଦିନ ହେବ ରାଜ୍ୟରେ ଜାରି ରହିଛି ଏଭଳି ପାଗ। ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ଯୋଗୁ ରାତିରେ ଥଣ୍ଡା ପଡୁଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଅଞ୍ଚଳରେ ରାତିରେ ସର୍ବନିମ୍ନ   ୮.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଦିନରେ ଏଠାରେ ୩୧.୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ। ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣିଥରେ ଉପରମୁହାଁ ହେବ। ୯ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଫୁଲବାଣୀ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରି ଛୁଇଁପାରେ। ଏହି ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ସ୍ବାଭାବିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୩୭.୫, ଅନୁଗୁଳରେ ୩୭.୧ ଡିଗ୍ରୀ ରହିଥିଲା। ୧୯୯୧ରୁ ୨୦୨୦ ମସିହାର ତାପମାତ୍ରା ଆଭରେଜ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସ ସବୁଠାରୁ ଉତ୍ତପ୍ତ ମାସ ବୋଲି ସୂଚନା ଦେଇଛି ବିଶ୍ବ ପାଣିପାଗ ସଂସ୍ଥାନ। ୧୯୯୧ରୁ ୨୦୨୦ ମସିହା ଜାନୁଆରୀ ମାସରେ ହାରାହାରି ତାପମାତ୍ରା ୦.୭୯ ଡିଗ୍ରୀ ରହିଥିବା ବେଳେ ଗତ ମାସରେ ଏହାର ହାର ପ୍ରି ଇଣ୍ଡଷ୍ଟ୍ରିଆଲ ଲେବଲ ଠାରୁ ୧.୭୫ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ନଜର ପକାନ୍ତୁ