୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ , ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି

ଭୁବନେଶ୍ୱର : ଓଡ଼ିଶା ଛୁଇଁଛି ମୌସୁମୀ । ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀର ଓଡ଼ିଶା ପ୍ରବେଶ । ଗତକାଲି ମାଲକାନଗିରି ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଆଗାମୀ ୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବାକି ଜିଲ୍ଲାରେ ସକ୍ରିୟ ହେବାନେଇ ପାଗ ଅନୁକୁଳ ରହିଛି। ପର୍ଯ୍ୟାୟକ୍ରମେ ରାଜ୍ଯର ଅନ୍ୟ ଜିଲ୍ଲାକୁ ଏହା ଅଗ୍ରସର ହେବ ।

ଓଡ଼ିଶାରେ ମୌସୁମୀ ଛୁଇଁବାର ସ୍ବାଭାବିକ ସମୟ ଜୁନ୍ ୧୨ ତାରିଖ ରହିଥିବା ବେଳେ ୪ ଦିନ ପୂର୍ବରୁ ମୌସୁମୀ ଛୁଇଁଛି । ଯାହା ଚାଷୀଙ୍କ ପାଇଁ ଖୁସି ଆଣିଦେଇଛି। ଦକ୍ଷିଣକୁ ମୌସୁମୀ ଛୁଇଁଥିବାବେଳେ ଜଳୁଛି ପଶ୍ଚିମ ଓଡ଼ିଶା । ବଲାଙ୍ଗିର, ବରଗଡ, ନୂ୍ଆପଡା, ସୋନପୁର, ବୌଦ୍ଧ ଜିଲ୍ଲାରେ ଜାରି ରହିଛି ହିଟ୍ ଓ୍ବେଭ୍ କଣ୍ଡିସନ୍ । ଏହି ସବୁ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେଉଛି ।

ସେହିଭଳି ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୧ଟି ଜିଲ୍ଲାରେ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ଜାରି ରହିବ। ଏଥିପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୨ ତାରିଖ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଗରମ ଗୁଳିଗୁଳି ଭିତରେ କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି।