୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଚାଷୀଙ୍କ ପାଇଁ ଆସିଲା ଖୁସି । ୧୦ ଦିନ ଆଗରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ଜିଲ୍ଲାକୁ ଅଗ୍ରସର । ଚଳିତବର୍ଷ ଭଲ ବର୍ଷା ସହ ଚାଷ ପାଇଁ ରହିବନି ପାଣିର ଅଭାବ । ଗତବର୍ଷ ଜୁନ୍ ୮ରେ ଓଡିଶା ଛୁଇଁଥିଲା ମୌସୁମୀ । ତେବେ ଚଳିତବର୍ଷ ୧୦ ଦିନ ଆଗରୁ ମାଲକାନାଗିରି, କୋରାପୁଟ ଅଞ୍ଚଳରେ ମୌସୁମୀ ବାୟୁ ଅଗ୍ରସର ହୋଇଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳକୁ ସ୍ପର୍ଶ କରିଛି । ତେବେ ପାଗ ଅନୁକୂଳ ଥିବାରୁ ଖୁବଶୀଘ୍ର ଏହା ସାରା ଓଡ଼ିଶାରେ ସକ୍ରିୟ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପସାଗର ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଭିତରେ ଏହା ଅବପାତରେ ପରିଣତ ହୋଇ ଉତ୍ତର ଆଡକୁ ଗତି କରିବ । ପ୍ରଭାବରେ ୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ୨୪ ଘଣ୍ଟା ଭିତରେ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହିତ ବିଜୁଳି ଘଡଘଡି ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରାଯାଇଛି ।