ପୂର୍ବାହ୍ନରେ ଅବପାତରେ ପରିଣତ ହେଲା ଓ୍ୱେଲମାର୍କ ଲୋ ପ୍ରେସର, ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

1 min read

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଓ୍ୱେଲମାର୍କ ଲୋ ପ୍ରେସର । ତେବେ ଅବପାତ ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଛି । ଅବପାତ ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବ । ଲଘୁଚାପକ୍ଷେତ୍ରରେ ଆଜି ପୂର୍ବାହ୍ନରେ ଏହା ଅବପାତରେ ପରିଣତ ହୋଇଛି । ଏହା ବର୍ତ୍ତମାନ ପାରାଦୀପ ପାଖରୁ ୧୩୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ।

ହେଲେ ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହା ଆସନ୍ତାକାଲି ସକାଳ ସୁଦ୍ଧା ଗଭିର ଅବପାତରେ ପରିଣତ ହୋଇପାରେ । ତେବେ ଓଡ଼ିଶା ଉପକୂଳ ସହିତ  ସମାନ୍ତରାଳ ଭାବରେ ବଙ୍ଗୋପସାଗର ଉପରେ ଗତିକରି କାଲି ସକାଳେ ପଶ୍ଚିମପଙ୍ଗ ଉପକୂଳକୁ ଏବଂ ଏହାର ନିକଟସ୍ତ ବାଙ୍ଗଲାଦେଶ ଉପକୂଳର ସୁନ୍ଦରବନ ଉପରେ ଗତି କରିବ  ।

ଏହାର ପ୍ରଭାବରେ ଗତକାଲିଠାରୁ ଓଡ଼ିଶର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଆଭ୍ୟନ୍ତରିଣ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଜି ସବୁଠାରୁ ଅଧିକ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଅବପାତର ପ୍ରଭାବରେ ଉପକୂଳବର୍ତ୍ତି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କାଲିଠାରୁ ବର୍ଷାର ପରିମାଣ କମିବ । ଏବେ ୪୦ରୁ ୬୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି । ପବନ ପ୍ରବାହରେ ସମୁଦ୍ର ଅଶାନ୍ତ ହୋଇପାରେ ସେଥିପାଇଁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ମାନଙ୍କୁ ନଯିବା ପାଇଁ ଅନୁରୋଧ କରାଯାଇଛି । ଓଡ଼ିଶାର ସବୁ ବନ୍ଦରକୁ ୩ନଂ ସତର୍କ ସଂକେତ ଜାରି କରାଯାଇଛି ।

 

Leave a Reply