ବଦଳୁଛି ପାଣିପାଗ, ସନ୍ତୁଳନ ହରାଉଛି ପରିବେଶ

ଭୁବନେଶ୍ବର: ବଦଳୁଛି ପାଣିପାଗର ମିଜାଜ୍ । ଦିନକୁ ଦିନ ବାହାରୁଛି ନୂଆ ନୂଆ ରୋଗ । ରାଜ୍ୟରେ ହିଟ୍ ଷ୍ଟ୍ରୋକ୍ ଓ ହାଇପରଥର୍ମିଆ ନେଇଛି ଦୁଇ ଜୀବନ । ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ଏବଂ ଅସହ୍ୟ ଗୁଳୁଗୁଳି ପାଇଁ ବଢୁଛି ଶରୀରର ତାପମାତ୍ରା । ଶକ୍ତିହୀନ ହେଉଛି ମଣିଷ । ବଢୁଛି ଅଳସୁଆମୀ । ଏହି ରୋଗର ଚିକିତ୍ସା ନୁହେଁ ପ୍ରତିକାର କରିବାକୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ ।

ଏମିତି ସ୍ଥିତିରେ ପାଣିପାଗ କେନ୍ଦ୍ର ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ହାଇପରଥର୍ମିଆ ଏକ ସାଂଘାତିକ ରୋଗ । ଏହା ସିଧା ସଳଖ ମସ୍ତିଷ୍କକୁ ଆକ୍ରାନ୍ତ କରୁଛି । ସ୍ନାୟୁ ମଧ୍ୟ ଦୁର୍ବଳ ହେଉଛି । ଖରା ଯୋଗୁଁ ମଣିଷ ଦେହରୁ ଲବଣ ପଦାର୍ଥ କମିଯାଉଛି । ପ୍ରଭାବରେ ଚର୍ମ ଜନିତ ସମସ୍ୟା ସହ ହିଟ୍‌ ଷ୍ଟ୍ରୋକ ହେଉଛି । ଏହାର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ହେଲେ ଚିକିତ୍ସା ଅପେକ୍ଷା ଖରାକୁ ନ ଯିବା ଭଲ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ପାଣିପାଗ ବଦଳୁଥିବାରୁ ଚଳିତ ଗ୍ରୀଷ୍ମରେ ଅଧିକ ତାତି ଅନୁଭବ ହେଉଛି । କିଛି ଜିଲ୍ଲାରେ ତାତି ନ ଥିଲେ ବି ଲୋକେ ଅସହ୍ୟ ଅନୁଭବ କରୁଛନ୍ତି । ଶରୀରୁ ପ୍ରବଳ ଝାଳ ବାହାରିବା ସହ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରୁଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇପରଥର୍ମିଆ ରୋଗ ଅଧିକ ପରିମାଣରେ ପରିଲକ୍ଷିତ ହେଉଛି । ବୟସ୍କ ଏବଂ ଯେଉଁମାନେ ଅଧିକ ଔଷଧ ଖାଉଛନ୍ତି ସେମାନଙ୍କୁ ଏହି ରୋଗ ଆକ୍ରାନ୍ତ କରୁଛି । ତେଣୁ ଏହି ବର୍ଗର ଲୋକମାନେ ଖରାରେ ବାହାରକୁ ବାହାରିବା ଅନୁଚିତ ବୋଲି ଡାକ୍ତର କହିଛନ୍ତି । ଏହାସହ ପ୍ରଚୁର ପରିମାଣର ପାଣି ଏବଂ ଓଆରଏସ୍ ପିଇବାକୁ ପରାମର୍ଶ ଦିଆଯାଇଛି ।

ଅସନ୍ତୁଳିତ ପାଣିପାଗ ପାଇଁ ଏବେ ଅନେକ ପ୍ରକାର ରୋଗରେ ପୀଡିତ ହେଉଛନ୍ତି ଲୋକେ । ହେଲେ ହିଟଷ୍ଟ୍ରାକ ଏବଂ ହାଇପରଥର୍ମିଆ ବର୍ତ୍ତମାନ ସମୟର ବଡ଼ ରୋଗ ଭାବେ ଉଭା ହୋଇଛି ।