ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା, ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଲା

ଭୁବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ । ତାତିରୁ ମିଳୁନି ନିସ୍ତାର । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିବାବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ସହର । ୪୪ ଡିଗ୍ରୀ ସହିତ ସୋନପୁର ହୋଇଥିଲା ସବୁଠୁ ଉତ୍ତପ୍ତ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବ । ଉପକୂଳ ଓଡ଼ିଶାରେ ତାତି ନବଢ଼ିଲେ ବି ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ ।

ଓଡ଼ିଶା ଉପରେ କୌଣସି ସିଷ୍ଟମ ବା ଘୂର୍ଣ୍ଣିବଳୟ ନଥିବାରୁ ଏପରି ସ୍ଥିତି ଲାଗି ରହିବ । ଅନ୍ୟପଟେ ୪ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗିରହିବ କାଳବୈଶାଖୀ ବର୍ଷା । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ କେରଳ ଛୁଇଁସାରିଛି ମୌସୁମୀ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ସଂପୂର୍ଣ୍ଣ କେରଳ ଛୁଇଁବ । ୩ ଦିନ ମଧ୍ୟରେ ଉତ୍ତରପୂର୍ବ ରାଜ୍ୟ ମିଜୋରାମ, ତ୍ରିପୁରା, ମଣିପୁରରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ। ଜୁନ୍ ୧୦ରୁ ୧୨ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।