ପାଣିପାଗର ମିଜାଜ୍ ଭିନ୍ନଭିନ୍ନ, ଜଳୁଛି ଉତ୍ତର-ପଶ୍ଚିମ, ଭିଜୁଛି ଉତ୍ତର-ପୂର୍ବ

1 min read

ନୂଆଦିଲ୍ଲୀ: ଏବେ ଭାରତରେ ଅନୁଭୂତ ହେଉଛି ଦୁଇ ପ୍ରକାର ପାଣିପାଗ । ଉତ୍ତର ଓ ପଶ୍ଚିମ ଭାରତ ପ୍ରବଳ ଖରାରେ ସିଝୁ ଥିବା ବେଳେ ଉତ୍ତର-ପୂର୍ବ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷାରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଉତ୍ତର ଭାରତର ଗାଙ୍ଗେୟ ସମତଳ ଭୂମି ଓ ଉତ୍ତର ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶର ବନ୍ଦାରେ ସର୍ବାଧିକ ଦିନ ତାପମାତ୍ରା ଥିଲା ୪୮.୮ ଡିଗ୍ରୀ ସେଲସିୟସ । ପଶ୍ଚିମ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଆସନ୍ତା ଦୁଇ ଦିନ ପାଇଁ ହିଟଓ୍ବେଭ ସତର୍କତା ଜାରି କରାଯାଇଛି । ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର ଓ ଉତ୍ତର ପଶ୍ଚିମ ଭାରତର ଅନେକ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଉପରେ ରହୁଛି ।

ତେବେ ଉତ୍ତରପଶ୍ଚିମ ଓ ଗାଙ୍ଗେୟ ସମତଳ ପ୍ରଚଣ୍ଡ ରୌଦ୍ର ତାପରେ ଝଲସୁ ଥିବା ବେଳେ ଏହାର ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳିଛି ଏହାର ବୀପରିତ ଦୃଶ୍ୟ । ଆସାମ ଓ ମେଘାଳୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସାମର ଅନେକ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା । ଦିମା ହାସାଓ ଜିଲ୍ଲାରେ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି । ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ସହ ରାସ୍ତା ଧୋଇ ହୋଇଯାଇଛି । ଏ ବର୍ଷର ପ୍ରଥମ ବନ୍ୟାରେ ରାଜ୍ୟର ୬ଟି ଜିଲ୍ଲାର ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମେଘାଳୟର ଅନେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅରୁଣାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବିଷମ ସ୍ଥିତି । ଆସାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ଗତ ଦୁଇଦିନର ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଉତ୍ତର –ପୂର୍ବରେ ଆସନ୍ତା ୧୮ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।