ଦାୟିତ୍ୱ ନେଉନେଉ ଚରଣଜିତଙ୍କ ମାଷ୍ଟରଷ୍ଟ୍ରୋକ୍, ଛାଡ କଲେ ବିଜୁଳି ବିଲ୍

1 min read

ଚଣ୍ଡିଗଡ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ସୋମବାର ଦିନ ଶପଥ ନେବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ଜଣେ ସାଧାରଣ ଲାେକଙ୍କୁ ପଞ୍ଜାବର ଶାସନ ଭାର ଦେଇଛନ୍ତି। ଦିନେ ଯାହାର ଘର ଉପରେ ଛାତ ନଥିଲା ଆଜି ତାକୁ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ବନାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଚନ୍ନିଙ୍କ ସହିତ  ପଞ୍ଜାବ କଂଗ୍ରେସ୍ ର ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ, ପ୍ରଭାରୀ ହରିଶ ରାୱତ ମଧ୍ୟ ଉପସ୍ଥିତ ଥିଲେ । ଚନ୍ନି ଆହୁରି ମଧ୍ୟ କହିଛନ୍ତି ଯେ, ୩ କୃଷି ଆଇନକୁ ହଟାଇବା ପାଇଁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ୍ କରିବେ । ଯଦି ଆଇନ ଫେରାଇ ନନିଆଯାଏ ତେବେ କୃଷି ଶେଷ ହୋଇଯିବ ଆଉ ଯାହାର ପ୍ରଭାବ ପଞ୍ଜାବର ସବୁ ପରିବାର ଉପରେ ପଡିବ । ପଞ୍ଜାବର କୃଷି ମାନଙ୍କୁ ଦୁର୍ବଳ ହେବାକୁ ଦେବୁନି । ଯଦି ସେମାନଙ୍କ ଉପରେ ଟିକେବି ଆଞ୍ଚ ଆସେ ତାହେଲେ ନିଜ ମୁଣ୍ଡ ଦେଖାଇଦେବୁ ।

ସବୁ ଗରିବ ପରିବାରର ବିଲ୍ ଛାଡ କରିବା ନେଇ ସେ ଘୋଷଣା କରିଥିବା ବେଳେ ଏହି ନିଷ୍ପତ୍ତି କ୍ୟାବିନେଟରେ ପାସ୍ ହୋଇଥିବା ନେଇ ସେ ପ୍ରକାଶ କରିଛନ୍ତି । ସମସ୍ତଙ୍କର ପୁରୁଣା ବିଲ୍ ଛାଡ କରିଦିଆଯିବ । କଂଗ୍ରେସ ହାଇକମାଣ୍ଡ ଆମକୁ ୧୮ଟି ପ୍ରସଙ୍ଗ ଦେଇଛନ୍ତି, ଯାହାକୁ ଏହି କାର୍ଯ୍ୟକାଳ ମଧ୍ୟରେ ସମାପ୍ତ କରିବୁ ।

ଅଧିକ ପଢନ୍ତୁ- ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନୀ

ତେବେ ଯେଉଁ କୃଷକ ମାନଙ୍କର ବିଜୁଳି କାଟି ଦିଆଯାଇଛି, ସେମାନଙ୍କର ସବୁ ଦେୟ ଛାଡ କରାଯିବା ସହ କନେକସନ୍ ଦିଆଯିବ । ସୂଚନାଯୋଗ୍ୟ, ସକାଳ ୧୧ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ଚରଣଜିତ । ଶପଥ ଉତ୍ସବରେ ସାମିଲ ହୋଇଛନ୍ତି ପଞ୍ଜାବ କଂଗ୍ରେସର ସମସ୍ତ ବିଧାୟକ, ସାଂସଦ ଓ ନେତା । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଶପଥ ଗ୍ରହଣ ସମାରୋହରେ ସାମିଲ  ହୋଇନଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଶପଥ କାର୍ଯ୍ୟକ୍ରମରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ଉପସ୍ଥିତ ରହିଥିଲେ  ।

Leave a Reply