ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଝାରସୁଗୁଡ଼ାବାସୀଙ୍କ ସମର୍ଥନ ରହିଛି, ଆମେ ନିଶ୍ଚିତ ଜିତିବୁ: ଦୀପାଳି

1 min read

ଝାରସୁଗୁଡ଼ା: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ କୋଲାବିରା ବ୍ଲକ ରଘୁନାଥପାଲିଠାରେ ବିଜେଡି ପକ୍ଷରୁ ମହିଳା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଲାବିରା ଅଞ୍ଚଳର ବହୁ ମହିଳା ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଓ ବିଜେଡିର ଝାରସୁଗୁଡ଼ା ପ୍ରାର୍ଥୀ ଦୀପାଳି ଦାସଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । କର୍ମୀ ସମ୍ମିଳନୀରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଦୀପାଳି ଦାସ ଏବଂ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ କରୁଥିବା କାର୍ଯ୍ୟ, ମହିଳାଙ୍କ ଉନ୍ନତି ପାଇଁ କରିଥିବା ଯୋଜନା ବିଷୟରେ ନିରଞ୍ଜନ ପୂଜାରୀ ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲେ । ଏହାସହ ଦୀପାଳିଙ୍କୁ ସମର୍ଥନ ଜଣାଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ଅଧିକ ଟାଣ କରିବାକୁ ଆହ୍ବାନ ଦେଇଥିଲେ ।

କର୍ମୀ ସମ୍ମିଳନୀରେ ଆଗାମୀ ଉପ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା କହିଛନ୍ତି ଦୀପାଳି । ଆଗକୁ ସେ କହିଛନ୍ତି, ‘ମହିଳାଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ କିଛି କରୁଛନ୍ତି । ଝାରସୁଗୁଡ଼ାବାସୀଙ୍କର ତାଙ୍କ ପ୍ରତି ସମର୍ଥନ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନସମର୍ଥନ ଦର୍ଶାଉଛି, ଉପନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ଓ ଆମେ ବଡ଼ ବ୍ୟବଧାନରେ ବିଜୟୀ ହେବୁ ।’

ସୂଚନାଯୋଗ୍ୟ, ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ାରେ ଉପନିର୍ବାଚନ ହେଉଛି । ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦୀପାଳିଙ୍କ ନାଁ ଘୋଷଣା ପରଠାରୁ ଝାରସୁଗୁଡ଼ାରେ ତାଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ପ୍ରତିଦିନ ବିରୋଧୀ ବିଜେପି ଓ କଂଗ୍ରେସ ଶିବିର ଛାଡି ନେତା ଓ କର୍ମୀ ଦୀପାଳିଙ୍କ ସମର୍ଥନରେ ବିଜେଡିରେ ସାମିଲ ହେଉଛନ୍ତି । ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଦୀପାଳି ପ୍ରଚାରକୁ ଜୋରଦାର କରିଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ ପଡ଼ି ଯାଇଛନ୍ତି ।