ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ କଡ଼ା ଭାଷଣ। ରୁଷ ସହ ଯୁଦ୍ଧର ଅନ୍ତ ଲାଗି ସେ ଚାହାଁନ୍ତି ମାତ୍ର ଦୁର୍ବଳ ଶାନ୍ତି ରାଜିନାମାକୁ ସେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଜେଲେନସ୍କି। ଦେଶର ସ୍ବାର୍ଥକୁ ବଳି ଦେଇ ହେଉଥିବା କୌଣସି ପ୍ରକାର ରାଜିନାମାକୁ ସେ ଗ୍ରହଣ କରିବେ ନାହିଁ। ୨୧ ମିନଟର ଟେଲିଭିଜନ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି- ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ଯେତେଦିନ ଧରି ୟୁକ୍ରେନର ସହର ଉପରେ ଆଧିପତ୍ୟ ବିସ୍ତାର କରିଥିଲା ବର୍ତ୍ତମାନ ରୁଷ ତାଠାରୁ ଅଧିକ ଦିନ ୟୁକ୍ରେନ ସହରଗୁଡ଼ିକୁ ଅକ୍ତିଆର କରିଛି।
କୌଣସି ପ୍ରକାରେ ୟୁକ୍ରେନ କାହା ନିକଟରେ ଆତ୍ମସମର୍ପଣ କରିବ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ୟୁକ୍ରେନର ୧୯ ପ୍ରତିଶତ ଅଞ୍ଚଳକୁ ନିଜ କବଜାରେ ରଖିଛି ରୁଷ। ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଘର ଉପରେ ହୋଇଥିବା ଡ୍ରୋନ ଆକ୍ରମଣର ଭିଡିଓ ରିଲିଜ କରିଛି ରୁଷ।

