ମୁଣ୍ଡ ନୁଆଁଇଲା ୟୁକ୍ରେନ, NATO ସଦସ୍ୟତା ହାସଲ ପାଇଁ ପଛଘୁଞ୍ଚା ଦେଲେ ଜେଲେନସ୍କି

1 min read

କିଭ୍: ୟୁକ୍ରେନକୁ ଫେରିବ ଶାନ୍ତି! ମୁଣ୍ଡ ନୁଆଁଇଲେ ଜେଲେନସ୍କି । ଦରକାର ନାହିଁ ନାଟୋ ସଦସ୍ୟତା । ଋଷ ସହ ଯୁଦ୍ଧ ପାଇଁ ନାଟୋ ସଦସ୍ୟ ରାଷ୍ଟ୍ର ଭୟ କରୁଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ଯୁଦ୍ଧର କିଛିଦିନ ପୂର୍ବରୁ ଋଷ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡୋନେସ୍କ ଓ ଲୁହାନସ୍କକୁ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେଇଥିବାରୁ ଏହା ଉପରେ ମଧ୍ୟ ଆଲୋଚନା ପାଇଁ ଜେଲେନସ୍କି ସଙ୍କେତ ଦେଇଛନ୍ତି ।

ଆମେରିକାର ଏକ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେବା ଅବସରରେ NATO, ପୁଟିନ୍ ଓ ଋଷର ଆଭିମୁଖ୍ୟକୁ ନେଇ ଆଲୋଚନା କରିଥିଲେ । ଜେଲେନସ୍କିଙ୍କ ଏହି ଇଣ୍ଟରଭ୍ୟୁ ପରେ ୟୁକ୍ରେନ-ଋଷ ଯୁଦ୍ଧରେ ବିରାମ ଲାଗିବା ସମ୍ଭାବନା ଦେଖାଦେଇଛି । ୟୁକ୍ରେନ ଉପରେ ଋଷ ଆକ୍ରମଣର ମୁଖ୍ୟ କାରଣ NATO ହୋଇଥିବା ବେଳେ ଏବେ ନାଟୋ ସଦସ୍ୟତା ହାସଲ ପାଇଁ ପଛଘୁଞ୍ଚା ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ନାଟୋ ୟୁକ୍ରେନକୁ ସଦସ୍ୟ ରାଷ୍ଟ୍ର ଭାବେ ସାମିଲ କରିବାକୁ ଚାହୁଁନି । ଋଷ ସହ ଶତ୍ରୁତା କରିବାକୁ ନାଟୋ ଭୟ କରୁଛି । ସେପଟେ ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି ମସ୍କୋ । ୟୁକ୍ରେନ ଭବିଷ୍ୟତରେ ଯେପରି କୌଣସି ରାଷ୍ଟ୍ର ସହ ମେଣ୍ଟରେ ସାମିଲ ନହୁଏ, ସେ ନେଇ ସ୍ପଷ୍ଟ କରୁ । ଏହାସହ ୨୦୧୪ରୁ ୟୁକ୍ରେନଠାରୁ ଋଷ ନେଇଥିବା କ୍ରିମିଆକୁ ଋଷର ବୋଲି ମାନ୍ୟତା ଦେବା ସହ ଡୋନେସ୍କ ଓ ଲୋହାନସ୍କକୁ ସ୍ୱତନ୍ତ୍ର କ୍ଷେତ୍ରର ମାନ୍ୟତା ଦେବାକୁ ସର୍ତ୍ତ ରଖିଛି ଋଷ ।