ମଣିଷ ଜଗତକୁ ଥରହର କରିବ ବିପର୍ଯ୍ୟୟ, ଚେତାବନୀ ଦେଲା ରେଡକ୍ରସ ଓ ରେଡ କ୍ରିସେଣ୍ଟ

1 min read

ନୂଆଦିଲ୍ଲୀ : କୋଭିଡ ପରେ ବି ବିଶ୍ବର କୌଣସି ରାଷ୍ଟ୍ର ପରବର୍ତ୍ତୀ ମହାମାରୀ ଲାଗି ପ୍ରସ୍ତୁତ ନାହାନ୍ତି । ଆସନ୍ତା ଦିନରେ ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟ କାରଣରୁ ବିଶ୍ବବାସୀଙ୍କ ସ୍ବାସ୍ଥ୍ଯ ସଂକଟ ଗୁରୁତର ଆକାର ଧାରଣ କରିବ ବୋଲି ସତର୍କ କରାଇଛି ରେଡକ୍ରସ । ଆନ୍ତର୍ଜାତିକ ରେଡକ୍ରସ ମହାସଙ୍ଘ ଓ ରେଡ କ୍ରିସେଣ୍ଟ ସୋସାଇଟିଜ୍ ପକ୍ଷରୁ କୁହାଯାଇଛି କୋଭିଡ-୧୯ କାରଣରୁ ଗତ ୩ ବର୍ଷ ଧରି ମାନବ ସମାଜ ଲାଗି ଭୟଙ୍କର ବିପତ୍ତି ସୃଷ୍ଟି କରିଥିଲା ।

ଆସନ୍ତାଦିନରେ ଆସୁଥିବା ସଙ୍କଟର ମୁକାବିଲା କରିବା ଲାଗି ବିଶ୍ବସନୀୟତା, ଆଞ୍ଚଳିକସ୍ତରୀୟ ନେଟଓ୍ବର୍କ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଆଗକୁ କେବଳ ଗୋଟିଏ ବିପଦ ଆସିବ ନାହିଁ ବରଂ ବହୁପ୍ରକାର ବିପର୍ଯ୍ୟୟ ଆସିବା ଆଶଙ୍କା ରହିଛି । ବିଶ୍ବରେ ଜଳବାୟୁ ସମ୍ପର୍କିତ ବିପର୍ଯ୍ୟୟ ଆସିବା ଆଶଙ୍କା ଥିବାବେଳେ ବହୁ ପ୍ରକାର ରୋଗ ବିଶ୍ବବାସୀଙ୍କୁ ଗଭୀର ସମସ୍ୟାକୁ ନେଇଯିବ ।

ଭୟଙ୍କର ଜଳବାୟୁଜନିତ ବିପଦ ବାରମ୍ବାର ମାଡିଆସିବ ବୋଲି କହିଛନ୍ତି ରେଡକ୍ରସ ଓ ରେଡ କ୍ରିସେଣ୍ଟ । କରୋନା ଭାଇରସକୁ ଏକ ଆନ୍ତର୍ଜାତିକ ସାଧାରଣ ସ୍ବାସ୍ଥ୍ୟ ବିପତ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଘୋଷଣାର ୩ ବର୍ଷପୂର୍ତ୍ତି ଅବସରରେ ଏହି ଚେତାବନୀ ଦେଇଛନ୍ତି ଦୁଇ ବିଶ୍ବସ୍ତରୀୟ ସଂସ୍ଥା ।

ପରବର୍ତ୍ତୀ ସ୍ବାସ୍ଥ୍ୟ ସଂକଟର ମୁକାବିଲା ଲାଗି ବର୍ତ୍ତମାନଠାରୁ ପ୍ରସ୍ତୁତ ରହିବାକୁ ଆଇଏଫଆରସି ସେକ୍ରେଟାରୀ ଜେନେରାଲ ଜଗନ ଚାପେନ ଦେଇଛନ୍ତି ଆହ୍ବାନ । ବିଶ୍ବସ୍ତରରେ ରହିଥିବା ସ୍ବାସ୍ଥ୍ୟ, ସାମାଜିକ-ଅର୍ଥନୈତିକ ଅସମାନତାଗୁଡିକୁ ବର୍ତ୍ତମାନଠାରୁ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।