ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି କେଳେଙ୍କାରୀ ଲିଙ୍କ୍, ଅର୍ପିତାଙ୍କ ଦ୍ୱିତୀୟ ଫ୍ଲାଟରେ ବି ଟଙ୍କାର ପାହାଡ଼
1 min readକୋଲକାତା: ମନ୍ତ୍ରୀଙ୍କ କଳାଧନର ମିନି ବ୍ୟାଙ୍କ । ସାମ୍ନାକୁ ଆସୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି କେଳେଙ୍କାରୀର କଳା କାରନାମା । ଟଏଲେଟରୁ ମିଳିଲା କୋଟି କୋଟି ଟଙ୍କାର ନୋଟ । ପ୍ଲାଷ୍ଟିକ ଥଳିରେ ଭର୍ତ୍ତି କରି ରଖାଯାଇଥିଲା କ୍ୟାସ୍ । ୧୮ ଘଣ୍ଟାର ମାରାଥନ ରେଡ୍, ୪ଟି ଟଙ୍କା ମେସିନରେ ୧୦ ଘଣ୍ଟା ଚାଲିଲା ଗଣତି । ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବେଲଘରିଆସ୍ଥିତ ଆଉ ଏକ ଫ୍ଲାଟରୁ ପୁଣି ମିଳିଛି ଆଉ ୨୭ କୋଟିରୁ ଅଧିକ ଟଙ୍କା । ମାରାଥନ ରେଡ୍ ବେଳେ ବିଡ଼ା ବିଡ଼ା ଦୁଇ ହଜାର ଓ ପାଞ୍ଚ ଶହ ଟଙ୍କିଆ ନୋଟ ଥିବା ୧୦ଟି ଟ୍ରଙ୍କ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ସହ ୭ କେଜି ସୁନା ଗହଣା ମଧ୍ୟ ଜବତ ହୋଇଛି । ଏସବିଆଇର ଟଙ୍କା ଗଣା ମେସିନରେ ୧୦ଘଣ୍ଟା ଧରି ଜବତ ଟଙ୍କା ଗଣିଥିଲେ ଇଡି ଅଧିକାରୀ ।
ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷକ ନିଯୁକ୍ତି କେଳେଙ୍କାରୀରେ ସମ୍ପୃକ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ତାଙ୍କ ସହଯୋଗର ଅର୍ପିତାଙ୍କୁ ଇଡି ଗିରଫ କରିଥିଲା । ଗିରଫର ଦିନକ ପରେ ରେଡ୍ ବେଳେ ଅର୍ପିତାଙ୍କ ଫ୍ଲାଟରୁ ୨୧ କୋଟି କ୍ୟାସ୍ ସହ ପ୍ରାୟ ୫୬ ଲକ୍ଷ ବିଦେଶୀ ଟଙ୍କା ଜବତ କରାଯାଇଥିଲା । ଏହାସହ ପ୍ରାୟ ୨ କୋଟି ମୂଲ୍ୟର ସୁନା ଗହଣା ମଧ୍ୟ ଇଡି ହାତରେ ଲାଗିଥିଲା । ତେବେ ଗତକାଲି ଅର୍ପିତାଙ୍କ ଘରେ ଚଢ଼ାଉ ବେଳେ ବେଲଘରିଆ ତାଙ୍କର ଆଉ ଏକ ଫ୍ଲାଟ ଥିବା ଜଣାପଡ଼ିଥିଲା । ସେଠାରେ ଚଢ଼ାଉ ବେଳେ କୋଟି କୋଟି ଟଙ୍କା ଓ ସୁନା ଜବତ ହୋଇଛି ।
ଗଣତି ଶେଷ ପରେ ଜବତ ଟଙ୍କାକୁ ୧୦ଟି ବାକ୍ସରେ ଇଡି ଅଫିସକୁ ନିଆଯାଇଛି । SSC ସ୍କାମ ମାମଲାରେ ଏବେସୁଦ୍ଧା ଇଡି ପ୍ରାୟ ୫୦ କୋଟି ଟଙ୍କା ଜବତ କରିଛି । ତେବେ ଜବତ ସମସ୍ତ ସମ୍ପତ୍ତି ପ୍ରାର୍ଥଙ୍କ ବୋଲି ଜେରା ବେଳେ ସ୍ବୀକାର କରିଛନ୍ତି ଅର୍ପିତା । ଏହି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରହିଛନ୍ତି । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଇଡି ପଚରାଉଚରା କରିଛି ।
ସେପଟେ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଦୁର୍ନୀତି ଘୋଟାଲାକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ଅପରାହ୍ନରେ ଏକ ରାଲି କରାଯିବ । ପ୍ରାର୍ଥ ଚାଟାର୍ଜୀଙ୍କୁ ଟିଏମସିର ସମସ୍ତ ପଦପଦବୀରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ଦଳର ମୁଖପାତ୍ର କୁନାଲ ଘୋଷ ।