ପଶ୍ଚିମବଙ୍ଗ ଗୁଳିକାଣ୍ଡ ନେଇ ଦିଦିଙ୍କ ବିସ୍ଫୋରକ ବୟାନ୍: ଶାହଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ହିଂସା ସୃଷ୍ଟି କରୁଛି CISF

କୋଲକାତା: ପଶ୍ଚିମବଙ୍ଗରେ ପୂର୍ବ ଥର ଭଳି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ହିଂସା। କୁଚ ବିହାରରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେତୁ ୪ ଜଣକ ମୃତ୍ୟୁ ହୋଇଛି। ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ଉଭୟ ପକ୍ଷରୁ ଗୁଳି ଓ ବୋମା ମାଡ଼ ଆରମ୍ଭ ହୋଇଯାଇଥିଲା । ଯାହାକୁ ଅଟକାଇବା ପାଇଁ  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।  ଘଟଣାରେ ସ୍ଥାନୀୟ ପୋଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ। ତେବେ ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦେଇଛନ୍ତି ବିସ୍ଫୋରକ ବୟାନ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ସୁରକ୍ଷାବଳ ରାଜ୍ୟରେ ହିଂସା ସୃଷ୍ଟି କରୁଛନ୍ତି  । ଯେଉଁ ଭୟ ଥିଲା ତାହା ଏବେ ସତ ହେଉଛି । ବିଜେପି ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି କରୁଛି। ଏଣୁ ଭୋଟ୍ ମାଧ୍ୟମରେ ବିଜେପିକୁ ହଟାଇବାକୁ ପଶ୍ଚିମବଙ୍ଗବାସୀଙ୍କୁ ଅପିଲ କରିଛନ୍ତି ମମତା ବାନାର୍ଜୀ । ଏଥିସହିତ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ଦିଦି।

ଅନ୍ୟପଟେ  ବିଜେପି ପ୍ରାର୍ଥୀ ତଥା ସାଂସଦ ଲକେଟ୍ ଚାଟାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଟିଏମସି କର୍ମୀମାନେ ଏଭଳି କାଣ୍ଡ ଭିଆଇଛନ୍ତି ଏବଂ ପୋଲିସ ଉପସ୍ଥିତିରେ ଏଭଳି ହୋଇଥିବା ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି ଲକେଟ୍ ଚାଟାର୍ଜୀ।

Leave a Reply