ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ଗିରଫ, ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ହେଉଥିଲେ ଜେରା

କୋଲକାତା: ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ  । ମନ୍ତ୍ରୀଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦୋଳୟ (ଇଡି)  । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି  । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି  । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ତଦନ୍ତକାରୀ ଟିମକୁ ପୂର୍ବତନ ଶିକ୍ଷାମନ୍ତ୍ରୀ ସହଯୋଗ କରୁନଥିବା କହିଛି ଇଡି  ।

ପଶ୍ଚିମବଙ୍ଗ ଶିକ୍ଷା ସେବା ଆୟୋଗ ଓ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଶିକ୍ଷାମନ୍ତ୍ରୀ ପରେଶ ଅଧିକାରୀ ପ୍ରମୁଖଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା ଇଡି ।

ଦିନକ ପୂର୍ବରୁ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ କରିଥିଲା ଇଡି  । ଏହି ମାମଲାରେ ଅର୍ପିତାଙ୍କୁ ଅଟକ ରଖିଛି ଇଡି । ପାର୍ଥ ଚାଟାର୍ଜୀ ଶିକ୍ଷାମନ୍ତ୍ରୀ ଥିବାବେଳେ ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ମନି ଲଣ୍ଡ୍ରିଂ ମାମଲାରେ ପାର୍ଥଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ତଦନ୍ତ ପରିସରକୁ ନେଇଥିଲା ଇଡି ।

ଦିନକ ପୂର୍ବରୁ ପଶ୍ଚିମବଙ୍ଗ ଶିକ୍ଷା ବିଭାଗର ପରାମର୍ଶଦାତା, ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୯ ଜଣଙ୍କ ଘରେ ଚଢାଉ କରିଥିଲା ଇଡି । ଏତେ ବଡ ଠକେଇର ଅର୍ଥ ହେରଫେରକୁ ଟ୍ରାକ୍‌ କରୁଥିଲା ଇଡି । ରାଜ୍ୟ ସରକାରଙ୍କ ଗ୍ରୁପ ସି, ଗୃପ ଡି ସମେତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହେବା ପରେ କିଛି ଦିନ ପୂର୍ବରୁ କଲିକତା ହାଇକୋର୍ଟ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।