ଡାକ୍ତରଙ୍କୁ ପୁଣି ଆଲୋଚନା ଲାଗି ଡାକିଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ

କୋଲକତା: ପୁଣି ଆଲୋଚନା ଲାଗି ଡାକିଲେ ଦିଦି । କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ଯା ମାମଲାରେ ଆନ୍ଦୋଳନରତ ଡାକ୍ତରଙ୍କୁ ପୁଣି ଆଲୋଚନା ଲାଗି ଡାକିଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ସ୍ବାସ୍ଥ୍ଯସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବା ଲାଗି ମମତା ପୁଣି ପଦକ୍ଷେପ ନେଇଛନ୍ତି । ଏହାକୁ ମିଶାଇ ମମତା ପଞ୍ଚମ ଓ ଶେଷ ଥର ଲାଗି ଡାକ୍ତରଙ୍କୁ ଆଲୋଚନା ଟେବୁଲକୁ ଆମନ୍ତ୍ରଣ କରିଛନ୍ତି ।
ସଂଧ୍ଯା ୫ଟାରେ ବୈଠକ ପାଇଁ ମମତା ନିମନ୍ତ୍ରଣ ଦେଇଥିବାବେଳେ ୪ଟା ୪୫ ସୁଦ୍ଧା ମୁଖ୍ଯମନ୍ତ୍ରୀ ନିବାସରେ ପହଞ୍ଚିବାକୁ ନିବେଦନ କରାଯାଇଛି ବୋଲି କହିଛନ୍ତି ମୁଖ୍ଯ ଶାସନ ସଚିବ । ଏହା ପୂର୍ବରୁ ଗତ ଶନିବାର ଆନ୍ଦୋଳନସ୍ଥଳକୁ ଆସି ଡାକ୍ତରମାନଙ୍କ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେଇଥିଲେ ମମତା ବାନାର୍ଜୀ। ପରେ ସନ୍ଧ୍ଯାରେ ମମତାଙ୍କ ସହ ଆଲୋଚନା ହୋଇଥିବା ସତ୍ତ୍ବେ ତାହା ବିଫଳ ହୋଇଥିଲା। ମମତା କନିଷ୍ଠ ଡାକ୍ତରଙ୍କୁ ମନାଇବାରେ ବିଫଳ ହୋଇଥିଲେ ।
କେତେକ ସର୍ତ୍ତରେ ଉଭୟ ପକ୍ଷ ରାଜି ହୋଇନଥିଲେ । ମୁଖ୍ଯତଃ ଆଲୋଚନାକୁ ଲାଇଭ ଷ୍ଟ୍ରିମିଙ୍ଗ କରିବା ସର୍ତ୍ତକୁ ମମତା ଖାରଜ କରି ଆସୁଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏହାର ସିଧା ପ୍ରସାରଣ କରାଯିବା ଉଚିତ ନୁହେଁ ବୋଲି ମମତା ସରକାର ବୁଝାଇ ଆସୁଥିବାବେଳେ ଡାକ୍ତରମାନେ କିନ୍ତୁ ସିଧା ପ୍ରସାରଣ ଲାଗି ଜିଦ ଧରି ବସିଛନ୍ତି । ଏଥିପାଇଁ ଆଲୋଚନା ହୋଇପାରୁନି । ଡାକ୍ତରମାନଙ୍କ ପ୍ରମୁଖ ଦାବି ମଧ୍ଯରେ ରହିଛି ରାଜ୍ଯ ସ୍ବାସ୍ଥ୍ଯମନ୍ତ୍ରୀଙ୍କ ଇସ୍ତଫା,
ଡାକ୍ତର ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନାର ଲାଇଭ ଷ୍ଟ୍ରିମିଂ, ପ୍ରମାଣ ନଷ୍ଟ ଠାରୁ ଆରମ୍ଭ କରି ଅନ୍ଯ ଅପରାଧ ଲାଗି ଦାୟୀ ବ୍ଯକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, କୋଲକାତା ପୋଲିସ କମିଶନର ବିନୀତ ଗୋୟଲ ଓ ସ୍ବାସ୍ଥ୍ଯ ସଚିବ ନାରାୟଣ ସ୍ବରୂପ ନିଗମଙ୍କ ଇସ୍ତଫା, ସ୍ବାସ୍ଥ୍ଯକର୍ମୀଙ୍କ ଲାଗି ନିରାପତ୍ତା, ସରକାରୀ ପ୍ରତିଷ୍ଠାନରେ ଧମକ ସଂସ୍କୃତି ବନ୍ଦ କରିବା ଇତ୍ଯାଦି। ଶନିବାର ଦୁଷ୍କର୍ମ ଓ ହତ୍ଯା ଘଟଣାରେ ପ୍ରମାଣ ନଷ୍ଟ ଅଭିଯୋଗରେ ମେଡିକାଲ ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ। ଆଜି ସିବିଆଇ କୋର୍ଟଙ୍କୁ କହିଛନ୍ତି ଯେ, ସନ୍ଦୀପ ମାମଲାକୁ ଚାପି ଦେବାକୁ ବସିଥିଲେ । ସେଥିପାଇଁ ଏହାକୁ ଆତ୍ମହତ୍ଯା ରୂପ ଦେବାକୁ ଯୋଜନା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ଯମ କରିଥିଲେ ବୋଲି କୋର୍ଟକୁ କହିଛି ସିବିଆଇ ।