ଓ୍ବାୟିନାଡ଼ ବିପର୍ଯ୍ୟୟ: ବିଷ୍ଣୁଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ଓଡ଼ିଆ ନିଖୋଜ

ଭୁବନେଶ୍ବର: କେରଳ ୱାୟନାଡ୍ ବିପର୍ଯ୍ଯୟରେ ଜଣେ ଓଡ଼ିଆ ଡାକ୍ତର ମୃତ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ମୃତ ଡାକ୍ତର ହେଲେ ବିଷ୍ଣୁ ପ୍ରସାଦ ଚିନାରା । ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଆଉ ଜଣେ ଓଡ଼ିଆ ସ୍ବାଧୀନ ପଣ୍ଡା ଏବେ ବି ନିଖୋଜ ଅଛନ୍ତି । ତାଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମିଳୁନି ।

ବିଷ୍ଣୁଙ୍କ ମୃତଦେହକୁ ଓଡ଼ିଶାକୁ ଆଣିବାର ବ୍ଯବସ୍ଥା କରାଯାଉଛି । ସେଠାରେ ଆହତ ଅନ୍ଯ ଓଡ଼ିଆଙ୍କୁ ମଧ୍ଯ ରାଜ୍ଯକୁ ଫେରାଇ ଆଣିବାର ବ୍ଯବସ୍ଥା କରାଯାଉଛି । ବିଷ୍ଣୁଙ୍କ ଘର କଟକ ଜିଲ୍ଲା ଚୌଦ୍ବାର ହାଉସିଂ ବୋର୍ଡରେ । ସେ ମେଡିସିନ ବିଭାଗର ଡାକ୍ତର ଥିଲେ । ବିଷ୍ଣୁ, ତାଙ୍କ ପତ୍ନୀ ପ୍ରଭା ପ୍ରିୟଦର୍ଶିନୀ ପାଲ, ବନ୍ଧୁ ଡାକ୍ତର ସ୍ବାଧୀନ ପଣ୍ଡା ଏବଂ ଝାରଗୁଗୁଡ଼ା ବେହେରାମାଲ ଓଏମପି ଛକର ସ୍ବୀକୃତି ମହାପାତ୍ର ଏକାଠି କେରଳର ୱାୟନାଡ୍ ବୁଲିବାକୁ ଯାଇଥିଲେ । ହୋଟେଲରେ ରହିଥିବା ସମୟରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ହୋଇଥିଲା । ସ୍ବୀକୃତି ଓ ପ୍ରିୟଦର୍ଶିନୀଙ୍କୁ ଆଗରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ନିଖୋଜ ଥିଲେ ବିଷ୍ଣୁ ଏବଂ ସ୍ବାଧୀନ । ବିଷ୍ଣୁଙ୍କ ମୃତଦେହ ମିଳିଥିବା ବେଳେ ଏଯାଏଁ ସ୍ବାଧୀନଙ୍କ ପତ୍ତା ନାହିଁ ।

ଭୂସ୍ଖଳନରେ ମୃତାହତ ଓଡିଆଙ୍କ ମୃତଦେହ ଓଡିଶା ଫେରାଇବା ସହ ଆହତଙ୍କ ଚିକିତ୍ସା ବାବଦରେ ଅଧିକ ତଥ୍ଯ ନେବାକୁ ୱାୟନାଡ ଯାଇଛନ୍ତି ଓଡିଶା ପରିବାରର ଅଧ୍ଯକ୍ଷ ଦିଲ୍ଲୀପ ରାଉତରାୟ ଓ ସ୍ବାସ୍ଥ୍ଯ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅର୍ଘ୍ଯ ପ୍ରଧାନ । ସେମାନେ ଡାକ୍ତର ମୁପେନସ ମେଡିକାଲ କଲେଜ ଓ ହସପିଟାଲର ସୁପରିନଟେଣ୍ଡେଣ୍ଟ ଡାକ୍ତର ମନୋଜ ନାରାୟଣଙ୍କ ସହ ଆଲୋଚନା କରିଛନ୍ତି । ବିଷ୍ଣୁଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କ ବାପା ଓ ସଂପର୍କୀୟଙ୍କ ସହ ଆଲୋଚନା କରିଛି ଓଡ଼ିଶା ପରିବାର ଟିମ ।